
ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବିକାଶ ହସ୍ପିଟାଲ ସମ୍ମୁଖରେ ରହିଥିବା ଛକକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବା ସହିତ ସେଠାରେ ବାଜପେୟୀଙ୍କ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ ଦାବି ଜୋରଧରିଛି। ଏହି ଦାବି ନେଇ ଗୁରୁବାର ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିକୁ ଯଥାଶୀଘ୍ର ପୂରଣ ପାଇଁ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଏମ୍ପି ପୁରୋହିତ ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ବରଗଡ଼ ନଗର ବାଜପେୟୀ ବିଚାର ମଞ୍ଚ ଦୀର୍ଘଦିନ ହେଲା ଏହି ଦାବି କରି ଆସୁ ଥିବାବେଳେ ବାଜପେୟୀଙ୍କ ପୂର୍ଣ୍ଣତିଥି ଏବଂ ଜୟନ୍ତୀରେ ସ୍ବର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଆସୁଛି। ତେବେ ଏମ୍ପି ପୁରୋହିତ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କଠାରେ ଏହି ଦାବି ଉପସ୍ଥାପନ କରିଥିବା ଯୋଗୁ ମଞ୍ଚର ସଦସ୍ୟ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ଡା. ସଞ୍ଜିତ କୁମାର ମିଶ୍ର, ଆଶୁତୋଷ ଦାଶ, ପ୍ରତାପ ପଟ୍ଟନାୟକ, ବିରେନ୍ଦ୍ର ପ୍ରଧାନ, ରାକେଶ ଶତପଥୀ, ଆଦିକାନ୍ଦ ମହାପାତ୍ର, ତାପସ ପ୍ରଧାନ, ନିରଞ୍ଜନ ପଣ୍ଡା, ମାନସ ଚାନ୍ଦ, ମୃତ୍ୟୁଞ୍ଜୟ ମହାରଣା, ଜଗଦିଶ ସେନ, ଶୋଭାରାମ ଦାଶ, ଗୁଡ୍ଡୁ ପାଢ଼ୀ, ଶିବ ସାହୁ, ସୁଦାମ ସାହୁ, ସଞ୍ଜୟ ନାୟକ, ରମେଶ ବେହେରା, ସରୋଜ ନାୟକ ପ୍ରମୁଖ ଏମପି ପୁରୋହିତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।