ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ମରରାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଗଡ଼ଗୋବିନ୍ଦପୁର ଗ୍ରାମର ନୃସିଂହ ମନ୍ଦିରରେ ହରିବନ୍ଧୁ ତାଙ୍କ ୨ ସହଯୋଗୀ ନୀଳାଞ୍ଚଳ ସାହୁ ଏବଂ ଯଜ୍ଞ ରେଡ୍ଡୀଙ୍କ ସହ କଥା ହେଉଥିବା ବେଳେ ସରପଞ୍ଚଙ୍କ ୪ରୁ ଊଦ୍ଧର୍ବ ସମର୍ଥକ ସେଠାରେ ପହଞ୍ଚି ଆକ୍ରମଣ କରିଥିଲେ। ପରେ ହରିବନ୍ଧୁ ଏବଂ ତାଙ୍କ ସମର୍ଥକ ମାନେ ସରପଞ୍ଚଙ୍କ ଜଣେ ସମର୍ଥକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆହତ ହରିବନ୍ଧୁଙ୍କୁ କିଛି ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେହିପରି କାଳିଆଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କେ.ନୂଆଗାଁ ଥାନା ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛି। ଘଟଣାରେ ସମ୍ପୃକ୍ତ କାଳିଆ ପ୍ରଧାନ ଏବଂ ରବୀନ୍ଦ୍ର ପ୍ରଧାନଙ୍କୁ ଥାନା ମାମଲା ନଂ.୯୨/୨୫ ଅନୁଯାୟୀ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ହରିବନ୍ଧୁଙ୍କୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏମ୍ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏବଂ ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ପଞ୍ଚାୟତରେ ୩ ବର୍ଷ ମଧ୍ୟରେ ଏମ୍ଜିଏନଏନଆରଜିଏସ ଯୋଜନାରେ କୌଣସି କାମ କରା ନ ଯାଇ ପ୍ରାୟ ୨କୋଟି ଟଙ୍କା ଆତ୍ମସାତ କରାଯାଇଥିବା ନେଇ ହରିବନ୍ଧୁଙ୍କ ସମର୍ଥକ ନୀଳାଞ୍ଚଳ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ ପାଇଁ ନୋଟିସ ହେବାରୁ ପ୍ରତିପକ୍ଷ ସରପଞ୍ଚଙ୍କ ସମର୍ଥିତ ଗୋଷ୍ଠୀର ଯୁବକମାନେ ତାଙ୍କୁ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଥିଲେ। ଏନେଇ ସେ ସୁରକ୍ଷା ପାଇଁ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲାପାଳ କେ.ନୂଆଗାଁ ଥାନା ଆଇଆଇସିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରିଥିଲେ। ପ୍ରତିପକ୍ଷ ଗୋଷ୍ଠୀର ଯୁବକ ମାନେ ଏଥିରେ ଉତ୍ତେଜିତ ହୋଇ ଗ୍ରାମରେ ଆତଙ୍କ ଚଳାଇଥିବା ହରିବନ୍ଧୁ କହିଛନ୍ତି। ଏନେଇ ସେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ସରପଞ୍ଚଙ୍କ ସମେତ ଆକ୍ରମଣରେ ସମ୍ପୃକ୍ତ ୪ ଯୁବକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଅପରପକ୍ଷରେ ସରପଞ୍ଚ ତାଙ୍କ ନାଁରେ ହୋଇଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏମ୍ଜିଏନ୍ଆରଜିଏସରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ। ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ସରପଞ୍ଚ ରଞ୍ଜନ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।