ମତଦାନ ସାବ୍ୟସ୍ତ କଲେ ଏମ୍‌ପି ସପ୍ତଗିରି

ରାୟଗଡ଼ା,୧୩ା୫(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ କୋରାପୁଟ ଲୋକ ସଭା ଓ ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ ଓ ଗୁଣପୁରଠାରେ ମତଦାନ ଆରମ୍ଭ ହୋଇଯାଇଛି। ଜିଲାର ୭୧୩୧୫୩ ଭୋଟର୍‌ ମତଦାନ କରିବେ। ରାୟଗଡ଼ା ସହରସ୍ଥିତ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଓ ଜିଲାପାଳ ମନୋଜ ସତ୍ୟବାନ ମହାଜନ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏଥିସହିତ ସମସ୍ତ ଭୋଟର ନିଜର ବହୁମୂଲ୍ୟ ଭୋଟ୍‌ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ସପ୍ତଗିରି।

ସେହିଭଳି ଜିଲାର ସମସ୍ତ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଜିଲାପାଳ ମହାଜନ ସମସ୍ତଙ୍କୁ ନିବେଦନ କରିଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କାଶୀପୁର ବ୍ଲକ ଟିକିରି ଅନ୍ତର୍ଗତ ନକଟିଗୁଡା ପ୍ରାଥମିକ ବିଦ୍ୟାଳୟ ସମେତ ରାୟଗଡ଼ା ସହରର ନେହେରୁ ନଗର ପ୍ରାଥମିକ ବିଦ୍ୟାଳୟ, ଖଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟ, ରାୟଗଡ଼ା ସୟଂଶାସିତ ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଥରେ ଉଭିଏମ ତ୍ରୁଟି ଯୋଗୁ ମତଦାନ ଆରମ୍ଭ ହୋଇପାରି ନ ଥିଲା। ଖରା ବଢ଼ିବା ଆଶଙ୍କାରେ ଲୋକେ ସକାଳୁ ଆସି ଭୋଟ୍‌ ଦେଇ ଫେରିଯିବାକୁ ଭାବି ଆସିଥିବା ବେଳେ ଇଭିଏମ୍‌ ଅଚଳ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏଥିପାଇଁ ଜିଲା ନିର୍ବାଚନ ବିଭାଗକୁ ଦାୟୀ କରିଛନ୍ତି ଜନସାଧାରଣ। ପୂର୍ବରୁ ସବୁ ଠିକ୍‌ ଭାବେ ପରିଚାଳନା କରିଥିଲେ ଏହିଭଳି ସମସ୍ୟା ସୃଷ୍ଟି ଉପୁଜି ନ ଥାନ୍ତା ବୋଲି ଜନସାଧାରଣ କହିଛନ୍ତି।

Share