Categories: ଜାତୀୟ

ଚତୁର୍ଥ ଶ୍ରେଣୀ ଛାତ୍ରକୁ କମ୍ପାସ୍‌ରେ ୧୦୮ ଥର ଭୁସିଲେ ସହପାଠୀ

ଇନ୍ଦୋର,୨୮ା୧୧:ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ପିଲାକୁ ତାଙ୍କର ୩ ଜଣ ସହପାଠୀ ଜ୍ୟାମିତି କମ୍ପାସ୍‌ରେ ୧୦୮ ଥର ଆକ୍ରମଣ କରିଛନ୍ତି। ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଏହାକୁ ଅତି ଗୁରୁତର ସହ ନେଇ ପୋଲିସ୍‌କୁ ତଦନ୍ତ ରିପୋର୍ଟ ମାଗିଛି। ଏରୋଡ୍ରମ୍‌ ଥାନା ଅଞ୍ଚଳରେ ଥିବା ଉକ୍ତ ଘରୋଇ ସ୍କୁଲରେ ଗତ ୨୪ ତାରିଖରେ ପିଲାମାନଙ୍କ ମଧ୍ୟରେ କୌଣସି କାରଣରୁ ମାର୍‌ପିଟ ହୋଇଥିଲା। ଏହା ଅତି ମର୍ମନ୍ତୁଦ ମାମଲା। ଏତେ କମ୍‌ ବୟସର ପିଲାମାନଙ୍କ ମଧ୍ୟରେ ଏଭଳି ହିଂସ୍ର ଆଚରଣର କାରଣ ଖୋଜି ବାହାର କରିବା ପାଇଁ ପୋଲିସର ତଦନ୍ତ ରିପୋର୍ଟ ମଗାଯାଇଥିବା ସିଡବ୍ଲ୍ୟୁସି ଅଧ୍ୟକ୍ଷା ପଲ୍ଲବୀ ପରଓ୍ବାଲ କହିଛନ୍ତି। ସିଡବ୍ଲ୍ୟୁସି ଉକ୍ତ ପିଲା ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ କାଉନ୍‌ସେଲିଂ କରିବାକୁ ଯୋଜନା ରଖିଛି। ଉକ୍ତ ପିଲାମାନେ ହିଂସା ଦୃଶ୍ୟ ଥିବା ଭିଡିଓ ଗେମ୍‌ ଦ୍ୱାରା ପ୍ରଭାବିତ ହୋଇଥିଲେ କି ନାହିଁ ତାହାର ମଧ୍ୟ ତଦନ୍ତ କରାଯିବ। ଆକ୍ରମଣ ସମୟର ସିସିଟିଭି ଫୁଟେଜ୍‌ ଦେବାକୁ ସ୍କୁଲ୍‌ ପରିଚାଳନା କର୍ତ୍ତୃପକ୍ଷ ମନା କରିଦେଇଥିବା ଆହତ ଛାତ୍ରଙ୍କ ବାପା କହିଛନ୍ତି। ଆକ୍ରମଣକୁ ନେଇ ଏରୋଡ୍ରମ୍‌ ଥାନାରେ ଏତଲା ଦାଏର ହୋଇଛି।

Share