ବଲାଙ୍ଗୀର ଅଫିସ,୨୧।୧: ଜିଲାପାଳ ସ୍ବାଗତ କଲେନି ବୋଲି ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ ରାଗିଯିବା ଏବଂ ଦିଶା କମିଟି ବୈଠକ ସ୍ଥାନ ପରିବର୍ତ୍ତନ କରିବା ଚର୍ଚ୍ଚାର ବିଷୟ ହୋଇଛି। ଜିଲା ଉନ୍ନୟନ, ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ (ଦିଶା) କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ଜିଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ହେବା ପାଇଁ ସ୍ଥିର ହୋଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏମ୍ପି ସିଂଦେଓ ଉକ୍ତ କୋଠା ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ତାଙ୍କୁ ସ୍ବାଗତ କରିଥିଲେ। ତେବେ ସେହି ସମୟରେ ଜିଲାପାଳ ଚଞ୍ଚଳ ରାଣା ନ ଥିବାରୁ ସେ କୁଆଡ଼େ ଗଲେ ବୋଲି ଏମ୍ପି ସିଂଦେଓ ପ୍ରଶ୍ନ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ସିଂ ଆଜି (ଶୁକ୍ରବାର) ଲୋକ ଉତ୍ସବ ଆରମ୍ଭ ହେଉଥିବାରୁ ଜିଲାପାଳ ମଞ୍ଚ ପୂଜାରେ ବସିଛନ୍ତି ବୋଲି କହିଥିଲେ। ଏହା ଶୁଣି ଏମ୍ପି ବିରକ୍ତି ପ୍ରକାଶ କରି ବୈଠକ ଥିବା ବେଳେ ସେ କିଭଳି ଲୋକ ଉତ୍ସବ ପୂଜାରେ ବସିଛନ୍ତି ବୋଲି କହିଥିଲେ। ସୌଜନ୍ୟତା ଦୃଷ୍ଟିରୁ ଏହା ଠିକ୍ କି ବୋଲି ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଏହି ପଞ୍ଚାୟତ କୋଠାରେ କ’ଣ ଦିଶା ବୈଠକ ହେବ କହି ସେଠାରୁ ସର୍କିଟ୍ ହାଉସ୍କୁ ଚାଲିଯାଇଥିଲେ। ଏହାପରେ ଦିଶା କମିଟି ବୈଠକ ସର୍କିଟ୍ ହାଉସରେ ହୋଇଥିଲା। ବୈଠକ ସ୍ଥାନ ପରିବର୍ତ୍ତନ ହେବାରୁ ସମସ୍ତ ସଦସ୍ୟ ଓ ଅଧିକାରୀ ସର୍କିଟ୍ ହାଉସ୍କୁ ଯାଇଥିଲେ। ଜିଲାପାଳ ରାଣା ମଧ୍ୟ ଉକ୍ତ ବୈଠକକୁ ଆସିବା ପରେ ସେ କାହିଁକି ତାଙ୍କୁ ସ୍ବାଗତ କଲେନାହିଁ ବୋଲି ସାସଂଦ ପ୍ରଶ୍ନ କରିଥିଲେ। ଲୋକ ଉତ୍ସବ କଥା କହି ଜିଲାପାଳ ରାଣା ଏମ୍ପିଙ୍କୁ ବୁଝାଇଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଏମ୍ପି ସିଂଦେଓ ଅଧିକାରୀଙ୍କ ଉପରେ ବର୍ଷିଥିଲେ।