ଭୋପାଳ,୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲାର ଗଞ୍ଜବାସୌଦା ଅଞ୍ଚଳର ଲାଲ ପାତର ଗ୍ରାମରେ କୂଅ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। କୂଅରୁ ୧୧ ମୃତଦେହ ମିଳିବା ପରେ ଶୁକ୍ରବାର ମଧ୍ୟରାତ୍ରି ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ ପୀଡ଼ିତଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଲେଖାଏ ସହାୟତା ରାଶି ଦିଆଯିବ। ଏହାବାଦ୍ ଶିବରାଜ ସିଂ ଚୌହ୍ବାନଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ଲାଗି ୫ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।
ଶୁକ୍ରବାର କୂଅରେ ଏକ ନାବାଳକା ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବାବେଳେ କୂଅକୁ ଘେରି ଛିଡ଼ା ହୋଇଥିଲେ ବହୁ ଲୋକେ। ହଠାତ୍ କୂଅର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩୦ ଜଣ କୂଅ ଭିତରକୁ ଖସି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା।