Categories: ଜାତୀୟ

ମିଛ ଗଣବଳାତ୍କାର ମାମଲାରେ ମହିଳାଙ୍କୁ ୧୦ ବର୍ଷ ଜେଲ୍‌

ଭୋପାଳ,୨୮।୧୦: ୪ ଜଣ ପଡୋଶୀଙ୍କ ବିରୋଧରେ ମିଥ୍ୟା ଗଣବଳାତ୍କାର ମାମଲା ଆଣିଥିଲେ। ଏହାକୁ ପ୍ରମାଣିତ କରିବା ପାଇଁ ଜାଲ୍‌ ତଥ୍ୟ ପ୍ରସ୍ତୁତ କରିଥିବା ମଧ୍ୟପ୍ରଦେଶର ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ମହିଳା ଜଣଙ୍କ ତାଙ୍କ ଜ୍ୱାଇଁଙ୍କ ସହ ରିଲେଶନଶିପ୍‌ରେ ରହୁଥିଲେ। ଏହାକୁ ବିରୋଧ କରୁଥିବା ପଡୋଶୀଙ୍କୁ ଫସାଇବା ପାଇଁ ମହିଳା ଜଣକ ସେମାନଙ୍କ ବିରୋଧରେ ଗଣବଳାତ୍କାର ଅଭିଯୋଗ ଆଣିଥିଲେ ବୋଲି ଅତିରିକ୍ତ ଜିଲା ପ୍ରସିକ୍ୟୁଟର ମହମ୍ମଦ ଆଜମ କହିଛନ୍ତି। ମହିଳାଙ୍କ ବୟାନ ଆଧାରରେ ୨୦୧୪ ଅଗଷ୍ଟରେ ୪ ପଡୋଶୀଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ମହିଳାଙ୍କ ପୋଷାକରେ ଲାଗିଥିବା ସିମେନର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ତାହା ତାଙ୍କ ଜ୍ୱାଇଁ ଗୋପାଳ ରଜାକଙ୍କର ବୋଲି ଜଣାପଡ଼ିଥିଲା। ଅଶୋକ ନଗର ପ୍ରଥମ ଅତିରିକ୍ତ ସେସନ୍ସ ଜଜ୍‌ ମହେଶ କୁମାର ଚୌହାନ ସମ୍ପୃକ୍ତ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

Share