Categories: ଜାତୀୟ

ପୁଣି ଆରମ୍ଭ ହେବ ଏମ୍‌ପିଲାଡ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍‌ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍‌ପିଲାଡ୍‌)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ ଏମ୍‌ପିଲାଡ୍‌ ଯୋଜନା କାଏମ ରଖିବା ସହ ୨୦୨୫-୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷର ଅବଶିଷ୍ଟ ସମୟ ପାଇଁ ଏମ୍‌ପିମାନଙ୍କୁ ଗୋଟିଏ କିସ୍ତିରେ ୨ କୋଟି ଟଙ୍କା ମିଳିବ। ୨୦୨୨-୨୩ରୁ ୨୦୨୫-୨୬ ପାଇଁ ବାର୍ଷିକ ୫ କୋଟି ଲେଖାଏ ମିଳିବ। ଏହାକୁ ୨.୫ କୋଟି ଲେଖାଏ ଦୁଇଟି କିସ୍ତିରେ ଯୋଗାଇ ଦିଆଯିବ ବୋଲି ଅନୁରାଗ କହିଛନ୍ତି। କରୋନା ମହାମାରୀ ଯୋଗୁ ଗତବର୍ଷ ଏପ୍ରିଲରେ ସରକାର ଏମ୍‌ପିଲାଡ୍‌କୁ ବନ୍ଦ କରିଦେଇଥିଲେ। ଏହି ପାଣ୍ଠିକୁ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ମହାମାରୀ ପ୍ରତିକୂଳ ପ୍ରଭାବର ସୁଧାର ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଇଥିଲା। ସୂଚନାଯୋଗ୍ୟ, ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ଏମ୍‌ପିମାନଙ୍କୁ ଏହି ଯୋଜନାରେ ପ୍ରତିବର୍ଷ ୫ କୋଟି ଟଙ୍କା ଲେଖାଏ ମିଳିଥାଏ। ସେମାନେ ନିଜ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଉକ୍ତ ଅର୍ଥ ଖର୍ଚ୍ଚ କରିବାକୁ ସୁପାରିସ କରିଥାନ୍ତି।

Share