୩୧ବର୍ଷ ପୂର୍ବେ ନେଇଥିଲେ ସଂକଳ୍ପ, ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ କରିବେନି ବିବାହ

ନୂଆଦିଲ୍ଲୀ,୨୩।୧୨: ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଆୟୋଜନ ପାଇଁ ଦେଶର କ୍ଷମତାଶାଳୀ ଲୋକ, ଶିଳ୍ପପତି, ବ୍ୟବସାୟୀ, ବିରୋଧୀ ଦଳର ବଡ ବଡ ନେତା ଏବଂ ବିଭିନ୍ନ ସେଲିବ୍ରେଟିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବହୁ ଭକ୍ତ ଅପେକ୍ଷାରତ ଅଛନ୍ତି। କିନ୍ତୁ ଆମେ ଏପରି ଏକ ସନ୍ଥଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ ବିବାହ ନ କରିବା ପାଇଁ ଶପଥ ନେଇଥିଲେ। ଦୀର୍ଘ ୩୧ବର୍ଷ ପରେ ତାଙ୍କ ସଂକଳ୍ପ ପୂରଣ ହେବାକୁ ଯାଉଛି। ସେ ହେଉଛନ୍ତି, ମଧ୍ୟପ୍ରଦେଶ ବୈତୁଳର ବାସିନ୍ଦା ଭୋଜପାଲି ବାବା।

ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭୋଜପାଲି ବାବାଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ୨୧ବର୍ଷ ବୟସରେ ଏନେଇ ସଂକଳ୍ପ ନେଇଥିଲେ। ବାବାଙ୍କ ଏହି ସଂକଳ୍ପ ଜାନୁୟାରୀ ୨୨ର ପୂରଣ ହେବାକୁ ଯାଉଛି।

ଭୋଜପାଲି ବାବାଙ୍କ ଘର ଭୋପାଳରେ। ସେ ଏବେ ବୈତୁଳ ଜିଲା ମିଲାନପୁରରେ ରହୁଛନ୍ତି। ତାଙ୍କ ପୁରା ନାଁ ରବିନ୍ଦ୍ର ଗୁପ୍ତା ଓରଫ। ୧୯୯୨ରେ ବାର୍ବି ମସଜିଦ ମାମଲାରେ କର ସେବକ ଭାବେ ଭୋପାଳରୁ ଅଯୋଧ୍ୟାକୁ ଆସିଥିଲେ। ପରେ ଏଠାକୁ ଆସି ତାଙ୍କର ଭଗବାନ ରାମଙ୍କ ପ୍ରତି ଏତେ ମାତ୍ରାରେ ବିଶ୍ୱାସ ହୋଇଯାଇଥିଲା ଯେ, ମାତ୍ର ୨୧ବର୍ଷ ବୟସରେ ମନ୍ଦିର ନ ହେବା ଯାଏଁ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା ନେଇଥିଲେ। ବାବାଙ୍କ ପରିବାର ତାଙ୍କୁ ବହୁଥର ରାଜି କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ବାବା ତାଙ୍କ ସଂକଳ୍ପରେ ଦୃଢ ରହିଥିଲେ।

ଏବେ ବାବା ୫୨ବର୍ଷରେ ଉପନୀତ ହୋଇଛନ୍ତି। ବୟସ ଅଧିକ ହୋଇଯିବାରୁ ସେ ଆଉ ବିବାହ କରିବେ ନାହିଁ ଏବଂ ସାରା ଜୀବନ ସନାତନ ଧର୍ମକୁ ଉତ୍ସର୍ଗୀକୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share