Categories: ଜାତୀୟ

ରାସ୍ତାରେ ଶୋଇଥିବା ଯୁବକଙ୍କ ଉପରେ ବିଏମଡବ୍ଲୁ ଚଢାଇଦେଲେ ଏମପିଙ୍କ ଝିଅ, ଥାନାରେ ମିଳିଗଲା ଜାମିନ

ଚେନ୍ନାଇ,୧୯।୬: ପୁଣି ଏକ ଅଭାବନୀୟ ହିଟ ଆଣ୍ଡ ରନ ମାମଲା ଚେନ୍ନାଇରେ ଘଟିଛି। ଜଣେ ରାଜ୍ୟ ସଭା ଏମପିଙ୍କ ଝିଅ ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ନିଜ BMW ଚଢାଇ ଦେଇଛନ୍ତି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମପିଙ୍କ ଝିଅଙ୍କୁ ପୋଲିସ ଗିରଫ କରି ସଙ୍ଗେ ସଙ୍ଗେ ଜାମିନରେ ଛାଡି ଦେଇଛି। ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି।

YSR କଂଗ୍ରେସ ପାର୍ଟି ଏମପି ବିଡା ମସ୍ତାନ ରାଓଙ୍କ ଝିଅ ମାଧୁରୀ ଏହି ଦୁର୍ଘଟଣା ଘଟାଇଛନ୍ତି। ଚେନ୍ନାଇର ବସନ୍ତ ନଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ମାମଲାରେ ପୋଲିସ ମାଧୁରୀଙ୍କୁ ଗିରଫ କରି ତୁରନ୍ତ ଜାମିନରେ ଛାଡି ଦେଇଛି। ମୃତକଜଣକ ୨୪ ବର୍ଷୀୟ ସୂର୍ଯ୍ୟ ବୋଲି ଜଣାଯାଇଛି। ସୂର୍ଯ୍ୟ ଜଣେ ପେଣ୍ଟର ଭାବେ କାମ କରୁଥିବା ଜଣାଯାଇଛି।
ସୋମବାର ରାତିରେ ରାସ୍ତା ପାର୍ଶ୍ୱରେ ଥିବା ଫୁଟପାଥରେ ଶୋଇଥିଲେ। ମାଧୁରୀ ନିଜେ BMW କଳାର୍‌ ଡ୍ରାଇଭ କରି ଆସୁଥିବା ବେଳେ ତାଙ୍କ ସହ ଜଣେ ବାନ୍ଧବୀ ବି ଥିଲେ। ହଠାତ ଭାରସାମ୍ୟ ହରାଇ ମାଧୁରୀ ଯୁବକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ।

ଏହାଦେଖି ତୁରନ୍ତ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ମାଧୁରୀ ଆମ୍ବୁଲାନ୍ସକୁ ଫୋନ କରି ଘଟଣାସ୍ଥଳରୁ ଗାଡି ସହ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଯୁବକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାଧୁରୀଙ୍କ କାର୍‌ ନମ୍ବରରୁ ତାଙ୍କ ଠିକଣା ବାହାର କରି ତାଙ୍କୁ ଗତକାଲି ଗିରଫ କରିଥିଲା। ମାତ୍ର ତୁରନ୍ତ ଜାମିନରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Share