
ଭୁବନେଶ୍ୱର,୨୬ା୩ (ରବିନାରାୟଣ ଜେନା):ବଜେଟ ଅଧିବେଶନ କାଳରେ ଗୃହ ସୁରୁଖୁରୁରେ ଚାଲିପାରୁ ନ ଥିବାବେଳେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି ଜୋର୍ ଧରିଛି। ମଙ୍ଗଳବାର ଦରମା ବୃଦ୍ଧି ଲାଗି ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଛି। ‘ମଇଁଷି ଶିଙ୍ଗ ଫଟା ଯୁଝିଲା ବେଳକୁ ଗୋଟା’ ନ୍ୟାୟରେ ଏବେ ସବୁଦଳର ସଦସ୍ୟ ଏକ ସ୍ବରରେ ଦରମା ବଢ଼ାଇବା ସପକ୍ଷରେ ରହିଛନ୍ତି।
ବିଜେଡି ସଦସ୍ୟ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଯେଉଁମାନେ ବିଧାୟକ ପଦରୁ ଅବସର ନେଇସାରିଛନ୍ତି ସେମାନେ ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ପେନ୍ସନ ନିହାତି ବଢ଼ିବା ଦରକାର। ଏ ନେଇ ସରକାରଙ୍କ ସହ ଆଲୋଚନା ହୋଇସାରିଛି ଏବଂ ଏକ କମିଟି ଗଠନ କରି ରିପୋର୍ଟ ଦେଇଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ।
ସେହିପରି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ସବୁ ବିଧାୟକଙ୍କ ଦରମା ବଢ଼ୁ ବୋଲି ଦାବି ଅଛି। ଅବସରପ୍ରାପ୍ତ ବିଧାୟକଙ୍କ ପେନ୍ସନ ମଧ୍ୟ ବଢ଼ାଯାଉ। ପ୍ରାୟ ବିଧାୟକଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ତେଣୁ ପେନ୍ସନ ସହ ସଦସ୍ୟଙ୍କ ଦରମା ବୃଦ୍ଧି ହେବା ଉଚିତ୍।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଡବଲ ଇଞ୍ଜିନ ସରକାର କେବଳ ନାମକୁମାତ୍ର। ନ ହେଲେ ସଂସଦରେ ସାଂସଦମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବରେ ମୋହର ବାଜୁଛି। ରାଜ୍ୟରେ ବିଧାୟକମାନଙ୍କ ଦରମା ବଢ଼ନ୍ତା ନାହିଁ? ପୂର୍ବତନ ବିଧାୟକମାନେ କମ୍ ପେନ୍ସନ ପାଉଛନ୍ତି। ସେମାନେ ବହୁ ଅସୁବିଧାରେ ଚଳୁଛନ୍ତି। ସେମାନଙ୍କ ପେନ୍ସନ ବଢ଼ିବା ସହିତ ଆଜିର ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଦରମା ବୃଦ୍ଧି ହେବା ନିହାତି ଆବଶ୍ୟକ।
ସୂଚନାଯୋଗ୍ୟ, ଗତ ସୋମବାର ସାଂସଦଙ୍କ ମାସିକ ଦରମା ବୃଦ୍ଧି ପାଇଁ ଘୋଷଣା ହୋଇଛି। ସାଂସଦଙ୍କ ଦରମା ୧ ଲକ୍ଷରୁ ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ପୂର୍ବତନ ସାଂସଦଙ୍କ ପେନ୍ସନ ୨୫ ହଜାରରୁ ୩୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ପେନ୍ସନ ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ତୁରନ୍ତ ଏହାକୁ ଲାଗୁକରନ୍ତୁ ବୋଲି ଏବେ ବିଧାୟକଙ୍କ ସ୍ବର ଶାଣିତ ହୋଇଛି।