ଭୋପାଳ,୬।୨: ଦିଲ୍ଲୀ ସରକାରଙ୍କ ଟ୍ରେନରେ ତୀର୍ଥଯାତ୍ରା କରାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ଘୋଷଣା କରିଛନ୍ତି। ସରକାରୀ ଯୋଜନା ଅନୁଯାୟୀ ମାର୍ଚ୍ଚରୁ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ବିମାନ ଯୋଗେ ତୀର୍ଥଯାତ୍ରା ପାଇଁ ପଠାଯିବ। ସୂଚନା ମୁତାବକ, ମଧ୍ୟପ୍ରଦେଶର ଭିଣ୍ଡରେ ରବିବାର ସନ୍ଥ ରବିଦାସଙ୍କ ଜନ୍ମ ବାର୍ଷିକୀ ଏବଂ ଚମ୍ବଲ ଡିଭିଜନର ବିକାଶ ଯାତ୍ରାର ଶୁଭାରମ୍ଭ ଅବସରରେ ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ଘୋଷଣା କରିଛନ୍ତି। ଏଥିସହ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନକୁ ଏହି ସରକାରୀ ତୀର୍ଥଯାତ୍ରାରେ ସାମିଲ କରାଯିବ। ଏହାକୁ ମୁଖ୍ୟମନ୍ତ୍ରୀ ତୀର୍ଥ-ଦର୍ଶନ ଯୋଜନା ନାମରେ ଜଣାଯିବ। ତୀର୍ଥଯାତ୍ରା ପାଇଁ ବରିଷ୍ଠ ନାଗରିକଙ୍କୁ ବିମାନରେ ନିଆଯିବ। ମୁଖ୍ୟମନ୍ତ୍ରୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ୬୦ବର୍ଷରୁ ଅଧିକ ଯୋଗ୍ୟ ବରିଷ୍ଠ ନାଗରିକମାନେ ସରକାରୀ ଖର୍ଚ୍ଚରେ ତାଲିକାଭୁକ୍ତ ଯେକୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ବୋଲି ଶିବରାଜ ଚୌହାନ କହିଛନ୍ତି।