Categories: ଜାତୀୟ

ବୁଧବାର ଏମ୍‌ପିମାନେ କରିବେ ତ୍ରିରଙ୍ଗା ବାଇକ୍‌ ରାଲି, ଲାଲ କିଲ୍ଲାରୁ ସଂସଦ ଭବନ…

ନୂଆଦିଲ୍ଲୀ, ୨।୮ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବୁଧବାର ସକାଳେ ଲାଲ କିଲ୍ଲାରୁ ସଂସଦ ଭବନ ପର୍ଯ୍ୟନ୍ତ ଏମ୍‌ପିମାନଙ୍କ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପ୍ରକ୍ଷରୁ ଏକ ତ୍ରିରଙ୍ଗା ବାଇକ ରାଲି ଆୟୋଜନ କରାଯିବ। ଏଥିରେ ଭାଗ ନେବାକୁ ସମସ୍ତ ରାଜନୈତିକ ଦଳର ସଦସ୍ୟଙ୍କୁ ସେ ନିବେଦନ କରିଛନ୍ତି।

ମଙ୍ଗଳବାର ଭାଜପା ସଂସଦୀୟ ଦଳର ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏହା ସଂସ୍କୃତି ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ ଏବଂ ତାଙ୍କ ଦଳର ନୁହେଁ। ସେ କହିଛନ୍ତି ଯେ ଏହି ରାଲି ସକାଳ ୮ଟା ୩୦ ରୁ ଆରମ୍ଭ ହେବ।

ଭାରତ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଦସ୍ୟମାନଙ୍କ ପାଇଁ ଅଗଷ୍ଟ ୯ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।

ଯୋଶୀ କହିଛନ୍ତି ଯେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଦସ୍ୟମାନଙ୍କୁ ପୂର୍ବାହ୍ନ ୯ ଟାରୁ ୧୧ ଟା ମଧ୍ୟରେ ହର ଘର ତିରଙ୍ଗା’ ଅଭିଯାନର ପ୍ରଚାର ପ୍ରସାର କରିବାକୁ କହିଛନ୍ତି। ଏହି ଅଭିଯାନର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୩ ରୁ ୧୫ ମଧ୍ୟରେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କିମ୍ବା ପ୍ରଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ ଦଳର ସଦସ୍ୟମାନେ ଅଗଷ୍ଟ ୧୧ ରୁ ୧୩ ପର୍ଯ୍ୟନ୍ତ ବୁଥ ସ୍ତରରେ ଏକ ପ୍ରଭାତ ଫେରି ଆୟୋଜନ କରିବେ ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭକ୍ତି ଗୀତ କିମ୍ବା ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ବଜାଯିବ। ତାଙ୍କ ବକ୍ତବ୍ୟରେ ନଡ୍ଡା ଏମ୍‌ପିମାନଙ୍କୁ ପାର୍ଟି କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଛନ୍ତି ଏବଂ ସପ୍ତାହ ସାରା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରି ନ ଥିବା ବୁଥରେ ସଂଗଠନକୁ ମଜବୁତ କରିବାକୁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିବା ଯୋଶୀ କହିଛନ୍ତି।

ଭାଜପା ପକ୍ଷରୁ ଅଗଷ୍ଟ ୧୪ ରେ ବିଭାଜନ ଭୟାବହ ସ୍ମୃତି ଦିବସ ମଧ୍ୟ ପାଳନ କରାଯିବ ବୋଲି ଯୋଶୀ ସୂଚନା ଦେଇଛନ୍ତି।

Share