ରୁଷିଆ ସୀମାରେ ୟୁକ୍ରେନ୍‌ ସୈନ୍ୟ

କିଭ୍‌/ମସ୍କୋ, ୧୬ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା ରୁଷିଆ ପାଇଁ ସେତେ ମଉଳିବାରେ ଲାଗିଛି। ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କୁ ରୋକିବାରେ ୟୁକ୍ରେନ୍‌ ସଫଳ ହେଉଥିବା ବେଳେ ସେପଟେ ରୁଷିଆ ସହ ବଡ଼ ସୀମା ଭାଗ କରୁଥିବା ଫିନ୍‌ଲାଣ୍ଡ ଏବେ ନାଟୋରେ ସାମିଲ ପ୍ରକ୍ରିୟା ଆରମ୍ଭ କରିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ାଇଛି। ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରୁ ରୁଷୀୟ ସୈନ୍ୟଙ୍କୁ ଘଉଡାଇବାରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସକ୍ଷମ ହୋଇଛି। ଏପରିକି ୟୁକ୍ରେନ୍‌ ସୈନ୍ୟ ରୁଷିଆ ସୀମା ନିକଟରେ ପହଞ୍ଚି ସେଠାରୁ ଏକ ଭିଡିଓ ଜାରି କରିଛନ୍ତି। ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି। ଏଥିରେ ସେମାନେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ରଖିଛନ୍ତି। ‘ଶ୍ରୀଯୁକ୍ତ ରାଷ୍ଟ୍ରପତି, ଆମେ ଏହା କରି ଦେଖାଇଲୁ। ଆମେ ଏବେ ୟୁକ୍ରେନ୍‌ ଓ ଶତ୍ରୁ ରାଷ୍ଟ୍ରର ସୀମାରେ ପହଞ୍ଚିଛୁ। ୟୁକ୍ରେନ୍‌ର ବିଜୟ ହେବ’ ବୋଲି ଭିଡିଓରେ ସେମାନେ କହୁଥିବା ଦେଖାଯାଇଛି। ୟୁକ୍ରେନ୍‌ର ଉତ୍ତରରେ ଥିବା ଖାର୍କିଭ ସହରକୁ ରୁଷିଆ କବ୍‌ଜା କରିଥିବା ଦାବି କରିଥିଲା। ତେବେ କିଭ୍‌ର ପ୍ରତିଆକ୍ରମଣରେ ରୁଷୀୟ ସୈନ୍ୟ ସେଠାରୁ ଫେରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ର ଉତ୍ତର-ପୂର୍ବ ସହର ସୁମିରେ ମଧ୍ୟ ରୁଷିଆର ଆକ୍ରମଣ ଥମିଛି ବୋଲି ଆଞ୍ଚଳିକ ଗଭର୍ନର ଡିମିଟ୍ରୋ ଝିଭିତ୍‌ସ୍କି କହିଛନ୍ତି। ମୋର୍ଟାର ସେଲ୍‌, ଗ୍ରେନେଡ୍‌, ମେଶିନ୍‌ ଗନ୍‌ ଯୋଗେ ତୀବ୍ର ଆକ୍ରମଣ କରି ମସ୍କୋ ସୈନ୍ୟ ସୁମିରେ ପଶିଥିଲେ। କିନ୍ତୁ ପାଲଟା ଆକ୍ରମଣରେ ସେମାନେ ପଛଘୁଞ୍ଚା ଦେଇଥିବା ଝିଭିତ୍‌ସ୍କି ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି।

Share