Categories: ଫୁରସତ

ମିଷ୍ଟର୍‌ ସର୍ବଗିଳା

୧୯୫୦ରେ ଜନ୍ମିତ ଫ୍ରାନ୍ସର ମାଇକେଲ ଲୋତିତୋ, ବେଶ୍‌ ପରିଚିତ ଥିଲେ ‘ମିଷ୍ଟର ଇଟ୍‌ ଅଲ୍‌’ ନାମରେ। କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତିକି ଏରୋପ୍ଲେନ୍‌ର ପାର୍ଟ ଖାଇ ବେଶ୍‌ ଆରାମରେ ହଜମ କରିଦେଇପାରୁଥିଲେ। ତେବେ ତାଙ୍କର ଏଭଳି ଅଜବ ଖାଇବା ଅଭ୍ୟାସ ମାତ୍ର ୯ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ୧୬ ବର୍ଷ ବୟସ ବେଳକୁ ସେ ଏଭଳି ଅଜବ ଖାଦ୍ୟ ଖାଇବାର ଶୋ’ କରିବା ଆରମ୍ଭ କରିଦେଇଥିଲେ। ଦୁଇସିଟ୍‌ ଯୁକ୍ତ ଏଭିଏସେନ୍‌ ଏରୋପ୍ଲେନ୍‌ ସେସ୍‌ନା ୧୫୦କୁ ବି ସେ ଖାଇଥିଲେ। ଆଉ ଏହାକୁ ସମ୍ପୂର୍ଣ୍ଣ ଖାଇବା ଲାଗି ତାଙ୍କୁ ଦୁଇବର୍ଷ ଲାଗିଥିଲା। ଏହି ଏରୋପ୍ଲେନକୁ ସେ ଛୋଟ ଛୋଟ ଖଣ୍ଡ କରି ମିନେରାଲ ଅଏଲ୍‌ ଓ ପ୍ରଚୁର ପାଣି ପିଇ ପିଇ ଖାଉଥିଲେ। ଯେମିତିକି ସେହି ଧାତୁଗୁଡିକ ତଣ୍ଟିରେ ଓ ଅନ୍ତନଳୀରେ ସହଜରେ ଯାଇପାରିବ। ପ୍ରକୃତରେ ସେ ପିକା ନାମକ ଏକ ଅଜବ ରୋଗରେ ଆକ୍ରାନ୍ତ ଥିଲେ। ଯାହାକି ଏକ ମାନସିକ ରୋଗ। ଏଥିରେ ତାଙ୍କୁ ଅଖାଦ୍ୟ ଦେଖିଲେ ଖାଇବାକୁ ଲୋଭ ହେଉଥିଲା। ଡାକ୍ତରଙ୍କ କହିବାନୁସାରେ ତାଙ୍କ ଅନ୍ତନଳୀ ଓ ପେଟରେ ମୋଟା ଆସ୍ତରଣ ଥିବା ସହ ହଜମ ପାଇଁ କ୍ଷରଣ ହେଉଥିବା ରସାୟନ ବି ପାଓ୍ବାରଫୁଲ ଥିଲା। ତେଣୁ ସେ ଧାରୁଆ, ଶକ୍ତ ଧାତୁ ଖାଇଲେ ବି ତାହା ହଜମ ହେଇଯାଉଥିଲା। ତେବେ ଆଶ୍ଚର୍ଯ୍ୟର କଥା ସେ ଯଦି କଦଳୀ, ସିଝା ଅଣ୍ଡା ପରି ସରଳ ଖାଦ୍ୟ ଖାଉଥିଲେ ତାଙ୍କ ଦେହ ଖରାପ ହେଉଥିଲା। ୧୯୫୯ରୁ ୧୯୯୭ ମଧ୍ୟରେ ସେ ପ୍ରାୟ ୯ ଟନ୍‌ ଧାତୁ ଖାଇଥିଲେ। ଏଭଳି ଅଜବ ଡାଏଟ୍‌ ଲାଗି ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଥିଲା। ୨୦୦୭, ଜୁନ ୨୫ରେ ଲୋତିତୋ ୫୭ ବର୍ଷ ବୟସରେ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଥିଲେ।

Share