କଲମ୍ବୋ,୮।୪ : ନିକଟରେ ମିସ୍ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍ ଓ୍ବାଲର୍ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି କଲମ୍ବୋ ପୋଲିସ। ତାଙ୍କ ବିରୋଧରେ ମଞ୍ଚ ଉପରେ ନିର୍ଯ୍ୟାତନା ଦେବା ଭଳି ଗୁରୁତର ଅଭିଯୋଗ ଆସିଛି। ଯଦି ଜୁରି ସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତି, କୋର୍ଟ ବାହାରେ ସମାଧାନ କରିବାକୁ ପ୍ରସ୍ତୁତ ବୋଲି ଅଭିଯୋଗକାରୀ ପୁଷ୍ପିକା ଡି ସିଲ୍ଭା କହିଛନ୍ତି।
କଲମ୍ବୋର ନେଲୁମ ପୋକୁନା ଥିଏଟରରେ ରବିବାର ପୁଷ୍ପିକା ଡି ସିଲ୍ଭାଙ୍କୁ ‘ମିସ୍ ଶ୍ରୀଲଙ୍କା ୨୦୨୦’ ଘୋଷଣା କରାଯାଇଥିଲା। ଏହାର କିଛି ମିନିଟ୍ ପରେ ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିଲେ କାରୋଲିନ ଜୁରି, ଯିଏକି ପୂର୍ବ ବର୍ଷର ମିସ୍ ଶ୍ରୀଲଙ୍କା। ମିସ୍ ଶ୍ରୀଲଙ୍କା ଜିତିବା ପରେ ଜୁରି ହାତେଇଥିଲେ ‘ମିସ୍ ଓ୍ବାଲର୍ଡ’ ମୁକୁଟ।
ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ। ବର୍ତ୍ତମାନ ଜୁରି ଓ ତାଙ୍କ ସାଥି ଜାମିନରେ ବାହାରେ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରବିବାର ଉତ୍ସବର ଶେଷ ଆଡ଼କୁ ଜୁରି ଦାବି କରିଥିଲେ ଯେ, ପୁଷ୍ପିକା ବର୍ତ୍ତମାନ ବିବାହିତ ନୁହେଁ। ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଏଣୁ ସେ ଏହି ମୁକୁଟ ପାଇଁ ଯୋଗ୍ୟ ନୁହନ୍ତି। ଏହା କହିବା ପରେ ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇ ପ୍ରଥମ ରନର୍ସ ଅପ୍କୁ ପିନ୍ଧାଇ ଦେଇଥିଲେ। ତେବେ ମିସ୍ ଶ୍ରୀଲଙ୍କା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରତିଯୋଗୀ ବିବାହିତ ହୋଇଥିବା ଦରକାର। ତେବେ ପୁଷ୍ପିକା ସ୍ବାମୀଙ୍କ ଠାରୁ ଅଲଗା ରହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଆଇନଗତ ଛାଡ଼ପତ୍ର ହୋଇନାହିଁ।