ଭାରତର ସରଗମ କୌଶଲ ଚଳିତବର୍ଷର ମିସେସ୍ ଓ୍ବାଲର୍ଡ ଟାଇଟଲ୍ ନିଜ ନାମରେ କରିଛନ୍ତି। ୨୧ ବର୍ଷ ପରେ ଏହି ଟାଇଟଲ୍ ପୁଣି ଭାରତକୁ ଫେରିଛି। ଶନିବାର ଲସ୍ଭାଗସର ଗାଲା ଇଭେଣ୍ଟରେ ୨୦୨୨ ମିସେସ୍ ଓ୍ବାଲର୍ଡ ପ୍ରତିଯୋଗିତାର ଆୟୋଜନ କରାଯାଇଥିବାବେଳେ ୬୩ ଦେଶର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଗତବର୍ଷର ମିସେସ୍ ଓ୍ବାଲର୍ଡ ଓ୍ବିନର୍ ଶାଇଲିନ୍ ଫୋର୍ଡ ସରଗମଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ଭାରତ ଏହି ସୁନ୍ଦରୀ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଜମ୍ମୁର ସରଗମ କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସଫଳତାର ଶ୍ରେୟ ସରଗମ ନିଜ ପରିବାର ସମେତ ଦେଶବାସୀଙ୍କୁ ଦେଇଛନ୍ତି। ପ୍ରତିଯୋଗିତାରେ ବିଜୟ ହାସଲ ନେଇ ସେ ଖୁବ୍ ଖୁସି ଥିବା କହିଛନ୍ତି। ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ସରଗମଙ୍କ ସ୍ବାମୀ ଭାରତୀୟ ନୌସେନାରେ କାର୍ଯ୍ୟ କରନ୍ତି। ୨୦୦୧ରେ ଭାରତର ଡା. ଆଦିତୀ ଗୋଭିତ୍ରିକର ମିସେସ୍ ଓ୍ବାଲର୍ଡ ମୁକୁଟ ଜିତିଥିଲେ।