ରାଞ୍ଚି,୧୭।୩: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ସହରବାସୀଙ୍କୁ ହୋଲିରେ ଏକ ଦମ୍ଦାର ଅଫର ଦେଇଛନ୍ତି। ଚଳିତ ଥର ଧୋନୀ ରାଞ୍ଚିବାସୀଙ୍କ ସହ ହୋଲି ପାଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସ୍କୁ ୩ଦିନ ଧରି ଖୋଲିଛନ୍ତି। ରାଞ୍ଚି ସେମ୍ବୋ ସ୍ଥିତ ଥିବା ଫାର୍ମ ହାଉସ୍ରେ ମାର୍ଚ୍ଚ ୧୭ରୁ ୧୯ ପର୍ଯ୍ୟନ୍ତ ଧୋନୀଙ୍କ ପ୍ରଶଂସକ ପ୍ରବଳ ହୋଲି ଖେଳିପାରିବେ। ହୋଲି ଖେଳିବା ସମୟରେ ଯଦି କୌଣସି ବ୍ୟକ୍ତି ପରିବା ଓ ଫଳ କିଣିବାକୁ ଇଛା ପ୍ରକାଶ କରିନ୍ତି ତେବେ ସେମାନଙ୍କର କିଣିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ବି ଧୋନୀ ସ୍ପେଶାଲ ଅଫର ରଖିଛନ୍ତି। ପ୍ରତି ୨୫୦ଗ୍ରାମ୍ ଷ୍ଟ୍ରୋବେରୀ ପ୍ୟାକେଟ ମାତ୍ର ୫୦ ଟଙ୍କାରେ ଉପଲବ୍ଧ ହୋଇପାରିବ। ଏତଦ୍ ବ୍ୟତୀତ ଏଠାରେ ଅନେକ ଅର୍ଗାନିକ ପରିବା ମଧ୍ୟ ରହିଛି। ଏହାକୁ ମଧ୍ୟ ଲୋକେ କିଣିପାରିବେ। ସୂଚନାଯୋଗ୍ୟ, ଧୋନୀଙ୍କ ଏହି ଫାର୍ମ ହାଉସ୍ ୪୩ ଏକର ପର୍ଯ୍ୟନ୍ତ ବ୍ୟାପିଛି। ଯେଉଁଥିରେ ଚାରିଆଡ଼େ ସବୁଜ ପନିପରିବା ଓ ଫଳ ଚାଷ କରାଯାଇଛି।