Categories: ଖେଳ

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି

ଚେନ୍ନାଇ,୫ା୧୧(ପି.ଟି.): ଆଇପିଏସ୍‌ ଅଫିସର ଜି. ସମ୍ପତ କୁମାରଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ମ୍ୟାଚ ଫିକ୍ସିଂ ମାମଲାରେ ବିବାଦୀୟ ବୟାନ ଏବଂ କୋର୍ଟଙ୍କ ଅବମାନନାକୁ ନେଇ ଧୋନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୧୪ରେ ଧୋନିଙ୍କ ନାମରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣିଥିଲେ ତତ୍କାଳୀନ ଆଇଜି ଜି ସମ୍ପତ କୁମାର। ଏହାପରେ ସମାନ ବର୍ଷ ଧୋନି ତାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ। ଏହି ମାମଲାରେ ସମ୍ପତ କୁମାରଙ୍କୁ କୋର୍ଟ ଚେତାବନୀ ଦେଇଥିଲେ। ମାମଲାର ଶୁଣାଣି ଶେଷ ନ ହେବା ଯାଏ ଧୋନିଙ୍କ ବିରୋଧରେ କୌଣସି ବୟାନ ନ ଦେବା ପାଇଁ କୋର୍ଟ ସମ୍ପତଙ୍କୁ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୮, ୨୦୧୪ରେ ମାଡ୍ରାସ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସମ୍ପତ ୨୦୨୧ ଡିସେମ୍ବରରେ ଏକ ସତ୍ୟପାଠ ଦାଖଲ କରିଥିଲେ। ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ସେ ଧୋନୀଙ୍କ ବିରୋଧରେ ମତ ରଖିଥିଲେ। ଏହା ସହିତ ଧୋନି ପୁନର୍ବାର ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହିତ ପୁନର୍ବାର ମାମଲା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦୧୪ ଅନ୍ତରୀଣ ନିର୍ଦ୍ଦେଶର ଉଲ୍ଲଂଘନ ଦ୍ୱାରା କୋର୍ଟଙ୍କ ଅସମ୍ମାନ ହୋଇଥିବା ନେଇ ମଧ୍ୟ ଧୋନି ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି।

Share