Categories: ଖେଳ

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି ୨୦୨୦ ଅଗଷ୍ଟ ୧୫ରେ ହୋଇଥିଲା। ଏହି ଦିନ ଧୋନୀ ହଠାତ୍‌ ସନ୍ନ୍ୟାସ ନେବା ନେଇ ଘୋଷଣା କରିଥିଲେ। ପ୍ରଶଂସକ ଏବଂ ଖେଳଜଗତ ସହ ଜଡ଼ିତ ବିଶେଷଜ୍ଞଙ୍କ ଲାଗି ଏହି ନିଷ୍ପତ୍ତି କୌଣସି ଝଟ୍‌କାଠାରୁ କମ୍‌ ନ ଥିଲା। ତେବେ ଏହି ମାମଲାରେ ଏବେ ଏକ ବଡ଼ ଖୁଲାସା ହୋଇଛି। ଧୋନୀଙ୍କ ସନ୍ନ୍ୟାସ ନେଇ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଏବଂ ପୂର୍ବ ଫିଲ୍ଡିଂ କୋଚ୍‌ ଆର୍‌. ଶ୍ରୀଧର ପୂର୍ବରୁ ଜାଣିଥିଲେ। ଏନେଇ ନିଜେ ଶ୍ରୀଧର ଖୁଲାସା କରିଛନ୍ତି।

ଶ୍ରୀଧର ନିଜ ପୁସ୍ତକ ‘କୋଚିଂ ବିୟଣ୍ଡ-ମାଇଁ ଡେଜ୍‌ ଉଇଥ୍‌ ଦ ଇଣ୍ଡିଆନ୍‌ କ୍ରିକେଟ ଟିମ୍‌’ରେ ଧୋନୀଙ୍କ ସନ୍ନ୍ୟାସକୁ ନେଇ ଖୁଲାସା କରିଛନ୍ତି। ଧୋନୀ ନିଜର ଅନ୍ତିମ ମ୍ୟାଚ୍‌ ଖେଳିଥିବା ସେ ଜାଣି ନେଇଥିଲେ। କାରଣ ବିଶ୍ୱକପ୍‌ ୨୦୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲର ରିଜର୍ଭ ଡେ’ ସକାଳେ ସେ ଜଳଖିଆ କରିବାକୁ ଆଗରେ ପହଞ୍ଚିଥିଲେ। ସେ କଫି ପିଉଥିବା ବେଳେ ଧୋନୀ ଏବଂ ପନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଆସି ଶ୍ରୀଧରଙ୍କ ପାଖରେ ବସିଥିଲେ। ଏହି ସମୟରେ ପନ୍ତ ଧୋନୀଙ୍କୁ ପଚାରିଥିଲେ ଯେ କିଛି ଖେଳାଳି ଏକୁଟିଆ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି, ସେ ଯୋଗଦେବେ କି? ଜବାବରେ ଧୋନୀ କହିଥିଲେ, ନା, ସେ ଦଳ ସହ ନିଜର ଅନ୍ତିମ ବସ୍‌ ଯାତ୍ରାକୁ ଛାଡ଼ିବାକୁ ଚାହୁଁନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଧୋନୀ ସନ୍ନ୍ୟାସ ନେବେ ବୋଲି ପୂର୍ବରୁ ନିଶ୍ଚିତ କରିସାରିଥିଲେ। ହେଲେ ସେ କାହାକୁ ସେ ନେଇ ଜଣାଇ ନ ଥିଲେ।

କହିରଖୁଛୁ, ଅଧିନାୟକ ଭାବେ ଧୋନୀ ଆଇସିସିର ସମସ୍ତ ଟ୍ରଫି ଜିତିଥିବା ପ୍ରଥମ ଖେଳାଳି। ସେ ୨୦୦୭ରେ ଟି୨୦, ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ଜିତିଥିଲେ। ଏହାର ଦୁଇ ବର୍ଷ ପରେ ସେ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲେ। ତେବେ ସେ ନିଜର ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଭାବେ ଖେଳିଥିଲେ। ଏହି ସମୟରେ ସେ ସନ୍ନ୍ୟାସ ନେବା ନେଇ ବିଚାର କରିଥିଲେ।

Share