ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ କରିଛନ୍ତି। ଏହି ନମ୍ବର ତାଙ୍କ ପାଇଁ ଲକି ନୁହେଁ ଏବଂ ସେ ଅନ୍ଧବିଶ୍ୱାସୀ ନୁହେଁ ବୋଲି ସେ କହିଛନ୍ତି।
“ପ୍ରଥମେ ଅନେକ ଲୋକ ଭାବୁଥିଲେ, ୭ ନଂ ମୋ ପାଇଁ ଲକି ନମ୍ବର। କିନ୍ତୁ ମୁଁ ସେହି ନିର୍ଦ୍ଧିଷ୍ଟ ନଂ ବାଛିବା ପଛର କାରଣ ଅତ୍ୟନ୍ତ ସରଳ। ମୁଁ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲି। ବର୍ଷର ୭ମ ମାସର ୭ ତାରିଖ। ଏହା ହିଁ କାରଣ। କେଉଁ ନଂ ମୋ ପାଇଁ ଭଲ ହେବ ମୁଁ ତାହା କଦାପି ଚିନ୍ତା କରି ନାହିଁ। ମୋ ଜନ୍ମ ତାରିଖକୁ ଜର୍ସି ନମ୍ବର ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲି” ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନୀ କହିଛନ୍ତି।
“ଅନେକ ଲୋକ କହିଛନ୍ତି ୭ ଏକ ନିରପେକ୍ଷା ସଂଖ୍ୟା। ଯଦି ଏହା ତୁମ ପାଇଁ କାମ ନ କରେ, ତେବେ ଏହା ତୁମ କ୍ଷତି କରିବ ନାହିଁ। ଲୋକେ ମୋତେ ପଚାରିଲେ, ମୁଁ ଏଭଳି ଉତ୍ତର ଦିଏ। ମୁଁ ଏଥି ନେଇ ଅନ୍ଧବିଶ୍ୱାସୀ ନୁହେଁ। କିନ୍ତୁ ଏହି ନମ୍ବର ମୋ ହୃଦୟର ଅତି ନିକଟତର। ଏହାକୁ ମୁଁ ବର୍ଷ ବର୍ଷ ଧରି ମୋ ପାଖରେ ରଖିଛି” ବୋଲି ୪୦ ବର୍ଷୀୟ ଧୋନୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଡିଫେଣ୍ଡିଂ ଚାମ୍ପିୟନ ସିଏସ୍କେ ଆସନ୍ତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ ସହ ଅଭିଯାନ ଆରମ୍ଭ କରିବ।