Categories: ଖେଳ

ବିବାହ ବନ୍ଧନରେ ଧୋନୀଙ୍କ ଆଇପିଏଲ୍‌ ଧୁରନ୍ଧର, କଲେଜ ବନ୍ଧୁଙ୍କ ଧରିଲେ ହାତ

ମୁମ୍ବାଇ,୨୨।୧୨: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ଚାମ୍ପିୟନ ବୋଲର୍‌ ତୁଷାର ଦେଶପାଣ୍ଡେ। ଆଇପିଏଲ୍‌ ୨୦୨୩ରେ ଚେନ୍ନାଇ ଟିମ୍‌ରୁ ସର୍ବାଧିକ ଉଇକେଟ ହାସଲ କରି ଚର୍ଚ୍ଚାରେ ରହିଥିଲେ ସେ। ଏବେ ସେ କଲେଜ ବନ୍ଧୁ ନଭା ଗଡ୍ଡମବାରଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହୋଇଛନ୍ତି। ନଭା ଜଣେ ଫ୍ୟାଶନ ଡିଜାଇନର ମଧ୍ୟ। କିଛି ଦିନ ପୂର୍ବେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ବିବାହ ପରେ ତୁଷାର ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିଛନ୍ତି।

ତୁଷାରଙ୍କ ବିବାହରେ ପରିବାରଲୋକଙ୍କ ବ୍ୟତିତ ବନ୍ଧୁମାନେ ଯୋଗ ଦେଇଥିଲେ। ଆଇପିଏଲ୍‌ରେ ଖେଳୁଥିବା ଷ୍ଟାର କ୍ରିକେଟର ପ୍ରଶାନ୍ତ ଶୋଲଙ୍କି, ଶିବମ ଦୁବେ, ଧବଲ କୁଲକର୍ଣ୍ଣି, ଭାବେନ ଠାକ୍କର ପ୍ରମୁଖ ନିଜ ନିଜର ସୋସିଆଲ ଆକାଉଣ୍ଟରେ ନୂଆ ଯୋଡ଼ିଙ୍କ ଫଟୋ ଶେୟାର କରିଛନ୍ତି।

ତୁଷାର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ। ୨୦୨୩ରେ ଦଳ ଟାଇଟଲ ହାତେଇଥିବା ବେଳେ ସେ ନିଜର ବୋଲିଂକୁ ନେଇ ପ୍ରଶଂସିତ ହୋଇଥିଲେ। ୧୬ ମ୍ୟାଚ୍‌ରେ ସେ ୨୧ ଉଇକେଟ ହାସଲ କରି ଟିମ୍‌ରୁ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି ହୋଇଥିଲେ। ଧୋନୀ ମଧ୍ୟ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଥିଲେ।

Share