ଏହି ମାମଲାରେ କୋହଲିଙ୍କୁ ପଛରେ ପକାଇଲେ ବିଗ୍‌ବସ୍‌ ବିଜେତା ଏମ୍‌ ସି ଷ୍ଟାନ୍‌

ବମ୍ବେ: ‘ବିଗ୍‌ବସ୍‌ ୧୬’ ବିଜେତା ହେବା ପରେ ଦିନକୁ ଦିନ ଏମ୍‌ସି ଷ୍ଟାନଙ୍କ ଲୋକପ୍ରିୟତା ବଢ଼ୁଛି। ଶୋ’ରେ ତାଙ୍କର ଯୋଗଦାନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ହେଁ ଶିବ ଠାକ୍‌ରେ, ପ୍ରିୟଙ୍କା ଚାହର ଚୌଧୁରୀଙ୍କ ଭଳି ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ସେ। ଏହା ଅନେକଙ୍କୁ ଚକିତ କରିଥିଲା। ହେଲେ ସବୁ କିଛି ସମ୍ଭବ ହୋଇପାରିଲା ଷ୍ଟାନଙ୍କ ପ୍ରଶଂସକଙ୍କ ପାଇଁ। ଏବେ ସେ ସବୁଠାରୁ ଲୋକପ୍ରିୟ ବ୍ୟକ୍ତିତ୍ୱ ପାଲଟିଛନ୍ତି। ଲୋକପ୍ରିୟତା ଦୃଷ୍ଟିରୁ ସେ ବିଗ୍‌ବସ୍‌ ପୂର୍ବ ସିଜନ ବିଜେତା ତେଜସ୍ବୀ ପ୍ରକାଶ ଏବଂ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଶୋ ଜିତିବା ପରେ ଷ୍ଟାନ ସଲମାନଙ୍କ ସହ ଏକ ଫଟୋ ଶେୟାର କରି ଖୁସିବ୍ୟକ୍ତ କରିଥିଲେ। ଏହି ପୋଷ୍ଟ ଅନେକ ରେକର୍ଡ ଭାଙ୍ଗିଛି।

ଷ୍ଟାନ ସଲମାନ ଖାଁଙ୍କ ସହ ଏକ ଫଟୋ ଶେୟାର କରି ଲେଖିଥିଲେ, ‘ବାସ୍ତବ ରହି ଇତିହାସ ରଚିଛୁ। ଜାତୀୟ ଟିଭିରେ ହିପ ହପ୍‌ ଫେରାଇ ଆଣିଛୁ। ମା’ଙ୍କ ସ୍ବପ୍ନ ସାକାର ହେଲା। ଟ୍ରଫି ପି-ଟାଉନ ଆସିଯାଇଛି। ଯିଏ ଯିଏ ଭଲପାଇବା ଦେଖାଇଛନ୍ତି, ସମସ୍ତଙ୍କର ଅଧିକାର ଅଛି। ’

ସଲମାନଙ୍କ ସହ ଉକ୍ତ ପୋଷ୍ଟକୁ ରେକର୍ଡ ସଂଖ୍ୟକ ଲୋକ ପସନ୍ଦ କରିବା ସହ କମେଣ୍ଟ ଦେଇଛନ୍ତି। ଏଯାବତ ୭୦ ଲକ୍ଷରୁ ଅଧିକ ଅର୍ଥାତ ୭,୦୧୩,୪୩୯ ଲାଇକ୍‌ ମିଳିଛି। ସେହିଭଳି ଦେଢ଼ ଲକ୍ଷରୁ ଅଧିକ କମେଣ୍ଟ ମିଳିଛି। ଏତେ ସଂଖ୍ୟକ ଲାଇକ୍‌ ଏଯାବତ ବିଗ୍‌ବସ୍‌ର କୌଣସି ବିଜେତାଙ୍କୁ ମିଳିନାହିଁ। ଏପରିକି ତେଜସ୍ବୀ ଏବଂ ସିଦ୍ଧାର୍ଥଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଷ୍ଟାନ୍‌ଙ୍କ ପଛରେ ରହିଛନ୍ତି।

ଜଣେ ଟୁଇଟର ବ୍ୟବହାରକାରୀ ଷ୍ଟାନଙ୍କ ଲୋକପ୍ରିୟତାକୁ ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ତୁଳନା କରିଛନ୍ତି। ଉପଭୋକ୍ତା ବିରାଟଙ୍କ ସର୍ବାଧିକ ଲାଇକ୍‌ ଏବଂ କମେଣ୍ଟ ପୋଷ୍ଟକୁ ଏମ୍‌ସି ଷ୍ଟାନଙ୍କ ଏହି ପୋଷ୍ଟ ସହିତ ତୁଳନା କରିଛନ୍ତି।

Share