ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେବ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର, ୧୭ା୮(ବ୍ୟୁରୋ): ଲକ୍‌ଡାଉନରେ ରାଜ୍ୟକୁ ଫେରିଥିବା ପ୍ରବାସୀ କୁଶଳୀ ଶ୍ରମିକମାନେ ଏବେ କାମଧନ୍ଦା ନ ପାଇ ରୋଜଗାର ଆଶାରେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ସଜବାଜ ହେଉଛନ୍ତି। ଜୀବନକୁ ବିପଦରେ ପକାଇ ସେମାନେ ବସ୍‌, ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଯାଉଛନ୍ତି। ଏଭଳିସ୍ଥଳେ ସେମାନଙ୍କ ପାଇଁ ରାଜ୍ୟରେ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ କମିଶନ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ତଥା ମୃତ୍ତିକା ଶିଳ୍ପ, ମହୁମାଛି ପାଳନ, ଜୋତା କାରିଗରୀ ଭଳି କର୍ମନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ କୃଷି ଭଳି ପାରମ୍ପରିକ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶନିବାର ପୋଲସରା ଓ ବୁଗୁଡ଼ା ବ୍ଲକ୍‌ରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ଏକ ବସ୍‌କୁ ପୋଲିସ ଅଟକ ରଖି ପଚରାଉଚୁରା କରିଥିଲା। ଗୁଜରାଟର ଜଣେ ମଧ୍ୟସ୍ଥ କାମ ଦେବା ଲୋଭରେ ୨୬ ଜଣ ଶ୍ରମିକଙ୍କୁ ବସ୍‌ରେ ନେଉଥିବା ଜଣାପଡ଼ିଥିଲା। ଓଡ଼ିଶାରେ କାମ ନ ମିଳିବାରୁ ବାଧ୍ୟହୋଇ ସୁରତ ଫେରୁଥିବା ଶ୍ରମିକମାନେ କହିଥିଲେ। ଏ ନେଇ ମନ୍ତ୍ରୀ ମିଶ୍ର କହିଛନ୍ତି, ବହୁ ଶ୍ରମିକ ଫେରିଯାଉଛନ୍ତି। କିନ୍ତୁ ଯେଉଁମାନେ ଏଠାରେ ରହିବେ ସେମାନଙ୍କର ନିଯୁକ୍ତି ପାଇଁ ଆମେ ସମସ୍ତ ପ୍ରକାର ପ୍ରୟାସ କରିବୁ। ଉଲ୍ଲେଖଯୋଗ୍ୟ, ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନାରେ ଏବେ ସୁଦ୍ଧା ୧,୪୦,୦୦୦ ଆକାଉଣ୍ଟକୁ ୨୪୪୫ କୋଟି ଟଙ୍କା ଦିଆଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ଅଗ୍ରାଧିକାର ଦିଆଯାଉଥିବା ବିଭାଗ କହିଛି। ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ରେ ଅଧିକରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ୨.୨୮ କୋଟି ଟଙ୍କାର କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ମଞ୍ଜୁର କରିଛି।

Share