Categories: ବାଣିଜ୍ୟ

ବଢ଼ିପାରେ ଚିନି ଏମ୍‌ଏସ୍‌ପି

ଭୁବନେଶ୍ୱର, ୨୮।୭(ଅନୁରାଧା ମହାରଣା): ଆସନ୍ତା କିଛିଦିନ ମଧ୍ୟରେ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି। ଅଲ ଇଣ୍ଡିଆ ସୁଗାର ଟ୍ରେଡ୍‌ ଆସୋସିଏଶନ (ଏଆଇଏସ୍‌ଟିଏ)ର ଏକ ସମ୍ମିଳନୀରେ ସେ କହିଛନ୍ତି,ଏମ୍‌ଏସ୍‌ପି ପ୍ରସ୍ତାବ ଉପରେ ଆଲୋଚନା କରାଯାଉଥିବାବେଳେ ଆଗାମୀ ଦିନରେ ଏ ଦିଗରେ ନିଷ୍ପତ୍ତି ନିଆଯାଇପାରେ । ଆଖୁଚାଷୀଙ୍କୁ ଦିଆଯାଉଥିବା ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫ୍‌ଆର୍‌ପି)ର ବାର୍ଷିକ ବୃଦ୍ଧି ସତ୍ତ୍ୱେ ୨୦୧୯ ପରଠାରୁ ଚିନିର ଏମ୍‌ଏସ୍‌ପି କିଲୋଗ୍ରାମ ପ୍ରତି ୩୧ ଟଙ୍କା ରହିଆସିଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ କୋଅପରେଟିଭ ଚିନି କାରଖାନା (ଏନ୍‌ଏଫ୍‌ସିଏଓଏଫ୍‌) ସମେତ ଶିଳ୍ପସଂସ୍ଥାଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାବେଳେ ମିଲ୍‌ଗୁଡ଼ିକର କାର୍ଯ୍ୟ ପରିଚାଳନା କରିବାରେ ସହାୟତା କରିବାକୁ ଏମ୍‌ଏସ୍‌ପି କିଲୋଗ୍ରାମ ପ୍ରତି ଅତି କମ୍‌ରେ ୪୨ ଟଙ୍କା ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଚୋପ୍ରା କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷର ଅକ୍ଟୋବର-ସେପ୍ଟେମ୍ବର ପାଇଁ ଚିନି ଉତ୍ପାଦନ ଆଶାଜନକ ହୋଇପାରେ। ବର୍ତ୍ତମାନ ସୁଦ୍ଧା ୫୮ ଲକ୍ଷ ହେକ୍ଟର ଜମିରେ ଆଖୁ ଲଗାଯାଇଛି, ଯାହା ଗତ ବର୍ଷ ସମାନ ଅବଧିରେ ୫୭ ଲକ୍ଷ ହେକ୍ଟର ରହିଥିଲା। ୨୦୨୩-୨୪ରେ ଚିନି ଉତ୍ପାଦନ ୩୨ ମିଲିୟନ ଟନ ହୋଇଥିବା ଆକଳନ କରାଯାଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୨.୮ ନିୟୁତ ଟନ ତୁଳନାରେ କମିଛି। ମାତ୍ର ଘରୋଇ ଚାହିଦା ପୂରଣ ପାଇଁ ୨୭ ନିୟୁତ ଟନ ଯଥେଷ୍ଟ। ଏହା ପୂର୍ବରୁ ଖାଦ୍ୟ ସଚିବ କହିଛନ୍ତି , ବିଭିନ୍ନ ଉତ୍ପାଦରୁ ଇଥାନଲ ତିଆରି ପାଇଁ ଜଳ ଆବଶ୍ୟକତାକୁ ଆକଳନ କରିବା ପାଇଁ କୃଷି ମନ୍ତ୍ରଣାଳୟ ଅନୁସନ୍ଧାନ କରୁଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମକା ଏବଂ ଚାଉଳ ତୁଳନାରେ ଆଖୁରୁ ଇଥାନଲ ଉତ୍ପାଦନ ପାଇଁ କମ୍‌ ଜଳ ଆବଶ୍ୟକ ।

Share