Categories: ଜାତୀୟ

ନିର୍ବାଚନ ପରେ ଏମ୍‌ଏସ୍‌ପି କମିଟି: ତୋମାର

ନୂଆଦିଲ୍ଲୀ,୫।୨: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ କମିଟି ଗଠନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଏହି କମିଟି ହେବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ୩ ବିବାଦୀୟ କୃଷି ଆଇନକୁ ବିରୋଧରେ କରି ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନରେ ବସିଥିଲେ। ଶେଷରେ ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ଏଥିସହିତ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଲାଗି ଚାଷୀମାନଙ୍କ ଦାବି ଉପରେ ଆଲୋଚନା ନିମନ୍ତେ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ସରକାର କମିଟି ଗଠନ ସମ୍ପର୍କରେ ନିର୍ବାଚନ କମିଶନ (ଇସି)ଙ୍କ ଅନୁମତି ଲୋଡ଼ିଥିଲେ। କମିଟି ଗଠନ ଏବେ ମନ୍ତ୍ରଣାଳୟ ବିଚାରାଧୀନ ରହିଛି। ନିର୍ବାଚନ ଶେଷ ହେବା ପରେ କମିଟି ଗଠନ କରିବାକୁ ଇସି କହିଥିବା ପ୍ରଶ୍ନୋତ୍ତର କାଳରେ ତୋମାର ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିଥିଲେ ହେଁ ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି, ଚାଷୀଙ୍କ ବିରୋଧରେ ଦାଏର ମାମଲା ପ୍ରତ୍ୟାହାର କରିବା ଆଦି ଅନ୍ୟାନ୍ୟ ଦାବି ପୂରଣ କରିନାହାନ୍ତି। ଏମ୍‌ଏସ୍‌ପି କମିଟି ଗଠନ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା ରଖି ନ ଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଗୁରୁବାର ଅଭିଯୋଗ କରିଥିଲା। ତେଣୁ ୟୁପି ନିର୍ବାଚନରେ ଭାଜପାକୁ ଦଣ୍ଡିତ କରିବା ପାଇଁ ଗୁରୁବାର ଏସ୍‌କେଏମ୍‌ ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଫଳରେ କୃଷିମନ୍ତ୍ରୀ ତୋମାର ନିର୍ବାଚନ ପରେ ଏମ୍‌ଏସ୍‌ପି କମିଟି ଗଠନ ହେବ ବୋଲି ଗୃହକୁ ଜଣାଇଛନ୍ତି।

Share