Advertisement

ପିଣ୍ଡାରୁ ଓହ୍ଲାଇଲେ କାଦୁଅ

ଡେରାବିଶ, ୨୨ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମ ମଧ୍ୟକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣିି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ ମହାନ୍ତି ସାହି ଗାଁ ୧୩ ନଂ. ୱାର୍ଡରେ। ଏହି ୱାର୍ଡରେ ଥିବା ୧୫ରୁ ଊର୍ଦ୍ଧ୍ୱ ପରିବାର ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ସମସ୍ୟା ଭିତରେ ଥିବାବେଳେ ଏହି ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚଙ୍କଠାରୁ ଜିଲାପାଳଙ୍କ ଯାଏ ବାରାମ୍ବର ଗୁହାରି କଲେଣି। ହେଲେ ସେ ଦିଗରେ ପ୍ରଶାସନିକ ପଦକ୍ଷେପ ଶୂନ। ପିଣ୍ଡାରୁ ଓହ୍ଲାଇଲେ କାଦୁଅରେ ଗୋଡ଼ ପଡ଼େ। ଗାଁରୁ ବାହାରକୁ ଯିବାକୁ ହେଲେ କାଦୁଅ ମଧ୍ୟରେ ଚାଲି ଚାଲି ୫୦୦ ଫୁଟ ଯାଏ ଗଲେ ଗାଁ ରାସ୍ତାଟି ସଂଯୋଗ କରିଥିବା ୮ ନଂ. କେନାଲ ବନ୍ଧ ରାସ୍ତା ଦେଇ ବାହାରକୁ ଯିବାକୁ ପଡ଼େ। ଏଥିସହ ଯଦି ଦି ଅସରା ବର୍ଷା ହୋଇଗଲା ଗ୍ରାମ ମଧ୍ୟରେ ଥିବା ପରିବାରର ସଦସ୍ୟମାନେ କେବଳ ଘର ଭିତରେ ଅଟକି ରହୁଅନ୍ତି ବୋଲି ପୂର୍ବତନ ସରପଞ୍ଚ ରଜନୀକାନ୍ତ ମହାନ୍ତି କହିଛନ୍ତି। ଗାଁରେ ରହୁଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ ଏହି ରାସ୍ତାଟି ବାଧକ ସାଜିଥିବା ରଜନୀକାନ୍ତ କହିଛନ୍ତି। ଏ ବିଷୟରେ ଜିଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭକରି ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। କେବଳ ସେତିକି ନୁହେଁ , ଗାଁରେ କୌଣସି ପୁଅ କିମ୍ବା ଝିଅର ବିବାହ ଉତ୍ସବ ବେଳେ ଯଦି ବର୍ଷା ହୋଇଗଲା ତେବେ ଗାଁକୁ ଆସୁଥିବା ବର, ଗାଁରୁ ବାହାରୁଥିବା ବରକନ୍ୟାଙ୍କ ପାଇଁ ଏହି ରାସ୍ତାଟି ବିରାଟ ପ୍ରତିବନ୍ଧକ ସାଜିଥାଏ। ଏ ସମ୍ପକର୍ର୍ରେ ବିଡିଓ ଦାସରଥି ଜେନାଙ୍କୁ ପଚାରିବାରେ ଏଭଳି ସମସ୍ୟା ଉପରେ ତାଙ୍କ ନିକଟରେ କୌଣସି ଖବର ନ ଥିଲା। ତେବେ ଖୁବ୍‌ଶୀଘ୍ର ସେ ଗ୍ରାମକୁ ଯାଇ ଅନୁଧ୍ୟାନ କରିବା ପରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share