ନୂଆଦିଲ୍ଲୀ,୨୮।୧ : ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ ଏକ ନୂତନ ନାମ ପାଇଛି। ବର୍ତ୍ତମାନ ଏହା ଅମୃତ ଉଦ୍ୟାନଭାବେ ନାମିତ ହୋଇଛି। ଅମୃତ ମହୋତ୍ସବ ଅବସରରେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଅମୃତ ଉଦ୍ୟାନରେ ୧୨ ଟି ବିଭିନ୍ନ ପ୍ରକାରର ଟୂ୍ୟଲିପ୍ ଫୁଲ ମିଳିଥାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଅମୃତ ଉଦ୍ୟାନ ଖୋଲାଯିବ।
ଆର୍କିଟେକ୍ଟ ଲୁଟିନ୍ସ କଶ୍ମୀରର ଉଦ୍ୟାନ ଶୈଳୀରେ ମୋଗଲ ଗାର୍ଡେନ ନିର୍ମାଣ କରିଥିଲେ। ରାଷ୍ଟ୍ରପତି ଭବନର କର୍ମଚାରୀମାନେ ମୋଗଲ ଗାର୍ଡେନର ବୋର୍ଡ ହଟାଇ ଅମୃତ ଉଦ୍ୟାନ ବୋର୍ଡ ସ୍ଥାପନ କରିଛନ୍ତି। ଏହି ଉଦ୍ୟାନ ୩୧ ଜାନୁୟାରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ୨ ମାସ ଖୋଲା ରହିଥାଏ। ଲୋକମାନେ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ବଗିଚାରେ ଫୁଲ ଦେଖିପାରିବେ। ମାର୍ଚ୍ଚ ୨୮ ରେ କୃଷକମାନଙ୍କ ପାଇଁ, ମାର୍ଚ୍ଚ ୨୯ ରେ ଭିନ୍ନକ୍ଷମମାନଙ୍କ ପାଇଁ ଏବଂ ମାର୍ଚ୍ଚ ୩୦ ରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ପାଇଁ ଏହି ଉଦ୍ୟାନ ଖୋଲା ରହିଥାଏ।