Categories: ଜାତୀୟ

ଦିଲ୍ଲୀ ୟୁନିଭର୍ସିଟି ପାଠ୍ୟକ୍ରମରୁ ମହମ୍ମଦ ଇକ୍‌ବାଲ ବାଦ୍‌

ନୂଆଦିଲ୍ଲୀ, ୨୮।୫: ଲୋକପ୍ରିୟ ଗୀତ ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ଥାନ ହମାରା’ର ରଚୟିତା ଖ୍ୟାତନାମା ଉର୍ଦ୍ଦୁ ଓ ପାର୍ସି କବି ମହମ୍ମଦ ଇକ୍‌ବାଲଙ୍କୁ ଦିଲ୍ଲୀ ୟୁନିସର୍ଭିିଟି (ଡିୟୁ) ଏହାର ବିଏ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ବାଦ୍‌ ଦେଇଛି। ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ କାଉନ୍‌ସିଲ୍‌ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି। ସେହିପରି ବିଏ ରାଜନୀତି ବିଜ୍ଞାନ(ସମ୍ମାନ) ପାଠ୍ୟକ୍ରମର ପଞ୍ଚମ ସେମିଷ୍ଟରରେ ମହାତ୍ମା ଗାନ୍ଧୀଙ୍କ ଉପରେ ରହିଥିବା ପେପରକୁ ବାଦ୍‌ ଦିଆଯାଇ ଉକ୍ତ ସ୍ଥାନରେ ହିନ୍ଦୁତ୍ୱବାଦୀ ବିନାୟକ ଦାମୋଦର ସାବରକରଙ୍କ ଉପରେ ପେପର ରଖାଯାଇଛି। ଗାନ୍ଧିଜୀଙ୍କ ଉପରେ ପେପର ସପ୍ତମ ସେମିଷ୍ଟରରେ ପଢ଼ାଯିବ। ଅର୍ଥାତ୍‌ ୪ ବର୍ଷ ବଦଳରେ ୩ ବର୍ଷୀୟା ସ୍ନାତକ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ର ଗାନ୍ଧିଜୀଙ୍କ ବିଷୟ ପଢ଼ିପାରିବେ ନାହିଁ। ଏହାକୁ ବିଶ୍ୱବିଦ୍ୟାଳୟର ଗୋଟିଏ ଗୋଷ୍ଠୀ ଶିକ୍ଷକ ବିରୋଧ କରିଛନ୍ତି। ଶିକ୍ଷାର ଗୈରିକୀକରଣ ପାଇଁ ଉଦ୍ୟମ ହେବା ସହ ଗାନ୍ଧିଜୀଙ୍କୁ ସାବରକରଙ୍କ ସହ ତୁଳନା କରିବା ପାଇଁ ପ୍ରଚେଷ୍ଟା ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।

Share