ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’, ୭ଟା ୧୫ରେ ହେବ ବନ୍ଦ…

ମୁମ୍ବାଇ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର, ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ଷ୍ଟକ ମାର୍କେଟରେ ଏକ ଭିନ୍ନ ବ୍ୟବସାୟ ହେବ। ପାରମ୍ପାରିକ ‘ମୁହୂର୍ତ୍ତ ଟ୍ରେଡିଂ’ ପାଇଁ ଷ୍ଟକ ଏକ୍ସଚେଞ୍ଜ ସନ୍ଧ୍ୟାରେ ଘଣ୍ଟାଏ ପାଇଁ ଖୋଲିବ। ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’ ଆରମ୍ଭ ହୋଇ ୭ଟା ୧୫ ରେ ବନ୍ଦ ହେବ।

କମୋଡିଟି କାରବାର ପାଇଁ ଗୁରୁବାର ଦିନରେ ଷ୍ଟକ୍‌ ଏକ୍ସଚେଞ୍ଜ ବନ୍ଦ ରହିବ। କିନ୍ତୁ ସନ୍ଧ୍ୟାରେ କାରବାର ଆରମ୍ଭ ହେବ। ସେହିପରି ଶୁକ୍ରବାର ମଧ୍ୟ ଷ୍ଟକ୍‌ ଏକ୍ସଚେଞ୍ଜ ବନ୍ଦ ରହିବ। ଶୁକ୍ରବାର ଦୀପାବଳି ବାଲିପ୍ରତିପଦା ପଡୁଛି। ଷ୍ଟକ୍‌ ଏକ୍ସଚେଞ୍ଜ ନଭେମ୍ବର ୮ରେ ପୁଣି ଖୋଲିବ। ସମ୍ବତ ୨୦୭୭ ର ସମାପ୍ତି ଅବସରରେ ଏହି ଛୁଟି ପଡୁଛି।

ସମ୍ବତ ୨୦୭୭ରେ ଘରୋଇ ଷ୍ଟକ ବଜାରର ପ୍ରଦର୍ଶନ ଭଲ ଥିଲା। ଏହି ସମୟ ମଧ୍ୟରେ ସେନ୍ସେକ୍ସ ୧୬,୧୩୩ ପଏଣ୍ଟ ଛୁଇଁ ୩୬.୯୭ ପ୍ରତିଶତ ସୁଦୃଢ଼ ହୋଇଥିଲା। ସେହିପରି ନିଫ୍ଟି ୫,୦୪୮.୯୫ ପଏଣ୍ଟରେ ପହଞ୍ଚିବା ସହିତ ୩୯.୫୦ ପ୍ରତିଶତ ବୃଦ୍ଧି ପାଇଛି।

ଗୁରୁବାର ଷ୍ଟକ୍‌ ବଜାରରେ ‘ମୁହୂର୍ତ୍ତ ଟ୍ରେଡିଂ’ ସହିତ ସମ୍ବତ ୨୦୭୮ ଆରମ୍ଭ ହେବ। ତେଣୁ ଏକ ଘଣ୍ଟାର ସ୍ବତନ୍ତ୍ର ‘ମୁହୂର୍ତ୍ତ ଟ୍ରେଡିଂ’ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକାର ଫେଡେରାଲ ରିଜର୍ଭ ମୁଦ୍ରା ନୀତି ସମୀକ୍ଷା ବୈଠକର ଫଳାଫଳ ପୂର୍ବରୁ ନିବେଶକମାନେ ଷ୍ଟକ୍‌ ବଜାରଠାରୁ ଦୂରେଇ ରହିଛନ୍ତି।

ସମ୍ବତ ୨୦୭୮ ରେ, ଫେଡେରାଲ ରିଜର୍ଭ (ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ) ମହାମାରୀ ସମୟରେ ଅର୍ଥନୀତିକୁ ସହଜ କରିବା ଲାଗି ଆରମ୍ଭ ହୋଇଥିବା ପ୍ରୋତ୍ସାହନ ପ୍ୟାକେଜକୁ ଧୀରେ ଧୀରେ ହ୍ରାସ କରିବା ଘୋଷଣା କରିବାର ସମ୍ଭାବନା ରହିଛି। ସେହିପରି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ନିକଟ ଭବିଷ୍ୟତରେ ବଣ୍ଡ କ୍ରୟ କାର୍ଯ୍ୟକ୍ରମରେ ହ୍ରାସ ଘୋଷଣା କରିବାର ସମ୍ଭାବନା ମଧ୍ୟ ଅଛି।

Share