ନୂଆଦିଲ୍ଲୀ,୫।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ତଥା ପରିବାର ଲାଗି ଦ୍ୱିତୀୟ ଘର ନିର୍ମାଣ କରୁଛନ୍ତି। ସେ ପରିବାର ସହ ଅନ୍ୟ ଦେଶରେ ବସବାସ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଅମ୍ବାନୀଙ୍କ ଦ୍ୱିତୀୟ ଘର ଲଣ୍ଡନରେ ହେବ। ସେ ଲଣ୍ଡନର ବକିଂହାମଶାୟାରର ଷ୍ଟୋକ୍ ପାର୍କରେ ୩୦୦ ଏକର ସମ୍ପତ୍ତି କିଣିଛନ୍ତି।
ଲକ୍ଡାଉନ୍ ଏବଂ ମହାମାରୀ ସମୟରେ ଅଲ୍ଟାମାଉଣ୍ଟ ରୋଡ୍ରେ ଥିବା ‘ଆଣ୍ଟିଲିଆ’ରେ ଅଧିକାଂଶ ସମୟ ଅତିବାହିତ କରୁଥିଲେ ଅମ୍ବାନୀ। ଏହି ସମୟରେ ପରିବାରଲୋକେ ତାଙ୍କୁ ଆଉ ଏକ ଘର ଆବଶ୍ୟକ ବୋଲି ଅନୁଭବ କରିଥିଲେ। ଏଣୁ ସେମାନେ ଲଣ୍ଡନରେ ଅନ୍ୟ ଏକ ଘର ନିର୍ମାଣ କରିବାକୁ ସ୍ଥିର କରିଥିଲେ। ଚଳିତ ବର୍ଷ ଆରମ୍ଭରୁ ଉକ୍ତ ସ୍ଥାନକୁ ୫୯୨ କୋଟିରେ କିଣିଥିଲେ ଅମ୍ବାନୀ।
ନୂତନ ଷ୍ଟୋକ୍ ପାର୍କରେ କିଣିଥିବା ଜାଗାରେ ଯେଉଁ ଘର ନିର୍ମାଣ ହେବ ତାର ୪୯ ଟି ଶୟନ କକ୍ଷ ରହିବ। ଏହାଛଡ଼ା ଚିକିତ୍ସା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ନୂଆ ଘରେ ଏକ ମନ୍ଦିର ମଧ୍ୟ ସ୍ଥାପନ କରାଯାଇଛି। ପୂଜା ଲାଗି ମୁମ୍ବାଇର ଦୁଇଜଣ ପୁରୋହିତ ମଧ୍ୟ ସାଙ୍ଗରେ ଯିବେ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ଏପ୍ରିଲରେ ସେମାନେ ୟୁକେର ବଙ୍ଗଳାରେ ରହିବା ଲାଗି ଚାଲିଯିବେ ବୋଲି କୁହାଯାଉଛି।