Categories: ବାଣିଜ୍ୟ

ରିଲାଏନ୍ସ ରିଟେଲ ଅଂଶଧନ ବିକିପାରନ୍ତି ମୁକେଶ

ନୂଆଦିଲ୍ଲୀ,୧।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶ ବିଶେଷ ରିଲାଏନ୍ସ ରିଟେଲରୁ ଅଂଶଧନ ବିକ୍ରି ହୋଇପାରେ। କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏ ନେଇ ବିଚାର କରୁଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଫ୍ଲିପ୍‌କାର୍ଟକୁ କିଣି ଥିବା ଆମେରିକା ଭିତ୍ତିକ କମ୍ପାନୀ ଓ୍ବାଲ୍‌ମାର୍ଟ ସହ ଏହି ଡିଲ୍‌ ସମ୍ପର୍କରେ ଆଲୋଚନା ହେଉଥିବା ଶୁଣାଯାଉଛି। ଓ୍ବାଲ୍‌ମାର୍ଟ ସହ ଚୁକ୍ତି ହେଲେ ଜିଓମାର୍ଟ ପ୍ଲାଟ୍‌ଫର୍ମରେ ଗ୍ରାହକଙ୍କୁ ରିହାତି ଦରରେ ସାମଗ୍ରୀ ପହଞ୍ଚାଇବା ଦିଗରେ ସହାୟକ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମୁକେଶ ଜିଓ ପ୍ଲାଟ୍‌ଫର୍ମର ଅଂଶଧନ ବିକ୍ରିକରି ୧.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ କରିବାକୁ ସକ୍ଷମ ହୋଇଛନ୍ତି। ପ୍ରସ୍ତାବିତ ଡିଲ୍‌ ସଫଳ ହେଲେ ରିଟେଲ କାରବାରକୁ ଆଗକୁ ବଢାଇବା ସହ ଅନ୍‌ଲାଇନରେ ରିଟେଲ ସାମଗ୍ରୀ ଘରେ ଘରେ ପହଞ୍ଚାଇବା ଦିଗରେ ଜିଓ ମାର୍ଟ ଯୋଜନାକୁ ମୁକେଶ ଆହୁରି ଦୃଢ କରିବାକୁ ସକ୍ଷମ ହେବେ। ରିଟେଲ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଫ୍ୟୁଚର ଗ୍ରୁପ୍‌ର ବିଗ୍‌ ବଜାରକୁ ରିଲାଏନ୍ସ ୨୪,୭୦୦ କୋଟି ଟଙ୍କାରେ କ୍ରୟ କରିବା ପରେ ନିଜର ସ୍ଥିତି ଆହୁରି ଦୃଢ କରିବ ବୋଲି କୁହାଯାଇଛି।

Share