Categories: ଖେଳ

ମୁକେଶ, ରଜତ ନୂଆ ମୁହଁ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଦୁଇଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବେଙ୍ଗଲ ସିମ୍‌ ବୋଲର ମୁକେଶ କୁମାର ଏବଂ ଘରୋଇ ସିଜନରେ ଖୁବ୍‌ ଭଲ ପ୍ରଦର୍ଶନ କରିଥିବା ରଜତ ପଟିଦାର। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଅକ୍ଟୋବର ୬ରେ ଲକ୍ଷ୍ନୌରେ ଆରମ୍ଭ ହେବ। ବେଙ୍ଗଲ ରେଡ୍‌ ବଲ୍‌ ବୋଲର ମୁକେଶ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମଶ୍ରେଣୀ ଗେମ୍‌ରେ ସର୍ବାଧିକ ଉଇକେଟ ହାସଲକାରୀ ରୂପେ ବିବେଚିତ ହୋଇଥିଲେ। ଇରାନୀ ଟ୍ରଫିରେ ମଧ୍ୟ ତାଙ୍କ ପ୍ରଦର୍ଶନ ପ୍ରଭାବୀ ରହିଛି।

ଅନ୍ୟପଟେ ପଟିଦାର ଜଣେ ଷ୍ଟାଇଲିଶ୍‌ ହିଟର। ଗତ ୩ ମାସ ମଧ୍ୟରେ ସେ ଆଇପିଏଲ୍‌ ପ୍ଲେ-ଅଫ୍‌ ରଣ୍‌ଜୀ ଟ୍ରଫି ଫାଇନାଲ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକମାନ ଅର୍ଜନ କରିଛନ୍ତି। ଶିଖର ଧାଓ୍ବନ ଭାରତୀୟ ଦଳର ନେତୃତ୍ୱ ନେବାକୁଥିବା ବେଳେ ଶ୍ରେୟସ ଆୟାର ତାଙ୍କ ଡେପୁଟି ଭାବେ ଦାୟିତ୍ୱ ତୁଲାଇବେ। ଦିନିକିଆ ସିରିଜ ଶେଷ ହେବା ପରେ ଶ୍ରେୟସ ଓ ଦୀପକ ଚହର ବ୍ରିସ୍‌ବେନ୍‌ରେ ଟି୨୦ ବିଶ୍ୱକପ୍‌ ଦଳରେ ଯୋଗଦେବେ। ଆଇସିସିର ଏହି ମର୍ଯ୍ୟାଦାପୂର୍ଣ୍ଣ ଇଭେଣ୍ଟ ଲାଗି ସେମାନଙ୍କୁ ଷ୍ଟାଣ୍ଡବାଇ ଖେଳାଳି କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ଅକ୍ଟୋବର ୯, ୧୧ରେ ରାଞ୍ଚତ୍ ଏବଂ ଦିଲ୍ଲୀଠାରେ ଖେଳାଯିବ।
ଭାରତୀୟ ଦଳ: ଶିଖର ଧାଓ୍ବନ (ଅଧିନାୟକ), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଶ୍ରେୟସ ଆୟାର (ଉପଅଧିନାୟକ), ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶାନ (ଉଇକେଟ୍‌କିପର), ସଞ୍ଜୁ ସାମ୍‌ସନ (ଉଇକେଟ୍‌କିପର), ଶାହାବାଜ୍‌ ଅହମ୍ମଦ, ଶାର୍ଦ୍ଦୂଳ ଠାକୁର, କୁଲଦୀପ ଯାଦବ, ରବି ବିଶ୍ନୋଇ, ମୁକେଶ କୁମାର, ଆଭେଶ୍‌ ଖାଁ, ମହମ୍ମଦ ସିରାଜ ଓ ଦୀପକ ଚହର।

Share