Categories: ଜାତୀୟ

ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ଗିରଫ: ଥାନାରେ ସଙ୍ଗିନ ମାମଲା ରୁଜୁ

ଚିତ୍ରକୋଟ,୧୨।୨: ଚିତ୍ରକୋଟ ଜେଲରେ ସ୍ବାମୀ ଅବ୍ବାସ ଅନ୍‌ସାରୀଙ୍କ ସହ ଗୁପ୍ତ ବୈଠକ କରୁଥିବା ଅଭିଯୋଗରେ ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ନିଖତ ଅନ୍‌ସାରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଅର୍ଥ ହେରଫେର ମାମଲାରେ ଅବ୍ବାସ ଅନ୍‌ସାରୀ ୨ମାସ ହେଲା ଜେଲରେ ଅଛନ୍ତି। ସ୍ବାମୀ ଅବ୍ବାସଙ୍କୁ ଭେଟିବା ପାଇଁ ସ୍ତ୍ରୀ ନିଖତ ଜେଲକୁ ଆସିଥିଲେ। ହେଲେ କଏଦୀଙ୍କ ଭିଜିଲାନ୍ସ ରେଜିଷ୍ଟରରେ ସେ ନାମ ଲେଖି ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ଜିଲା ମାଜିଷ୍ଟ୍ରେଟ ଅଭିଷେକ ଆନନ୍ଦ ଏବଂ ପୋଲିସ ଅଧୀକ୍ଷକ ଭରିଣ୍ଡା ଶୁକ୍ଲାଙ୍କ ନେତୃତ୍ୱରେ ଜେଲରେ ଚଢାଉ କରାଯାଇଥିଲା। ସେତିକିବେଳେ ଅବ୍ବାସଙ୍କୁ ଭେଟିବାକୁ ଆସିଥିବା ନିଖତଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ମୋବାଇଲ ଫୋନ ଏବଂ ସାଉଦି ଆରବ ମୁଦ୍ରା ସମେତ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଯାଞ୍ଚ ବେଳେ ନିଖତ ପୋଲିସ ଅଧିକାରୀଙ୍କୁ ଧମକ ଦେଇଥିବା ସୂଚନା ମିଳିଛି। ପରେ ତାଙ୍କୁ ମହିଳା କନ୍‌ଷ୍ଟେବଳ ଗିରଫ କରିଥିଲେ। ଆଇପିସିର ଧାରା ୩୮୭, ୨୨୨, ୧୮୬, ୫୦୬, ୨୦୧ ଏବଂ ୧୨୦ବି’ରେ କୋଟୱାଲି ପୋଲିସ ଷ୍ଟେଶନରେ ନିଖତ, ତାଙ୍କ ଡ୍ରାଇଭର ଓ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Share