Categories: ଜାତୀୟ

ଭାଜପାକୁ ଭାଙ୍ଗିବାକୁ ପ୍ରୟାସ:ଟିଏମ୍‌ସିରେ ସାମିଲ ହେଲେ ଅନେକ ନେତା

କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ ମୁକୁଲ ରୟଙ୍କ ସମେତ ଟିଏମ୍‌ସିର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଗଙ୍ଗା ପ୍ରସାଦ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ ଜିଲାର ଅନେକ ନେତା ଟିଏମ୍‌ସିରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୫ରୁ ଗଙ୍ଗା ପ୍ରସାଦ ଜିଲାରେ ଭାଜପା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ବିଧାନସଭା ନିର୍ବାଚନରେ ଭାଜପା ଏହି ଜିଲାରେ ଭଲ ପ୍ରଦର୍ଶନ କରିବା ସହ ସମସ୍ତ ୫ଟି ଆସନରେ ବିଜୟୀ ହାସଲ କରିଥିଲା। କିନ୍ତୁ ବର୍ତ୍ତମାନ ସେ ଦଳ ଛାଡ଼ିବା ଭାଜପା ପାଇଁ ଏକ ବଡ଼ ଝଟ୍‌କା। ଅନ୍ୟପଟେ ଟିଏମ୍‌ସିରେ ଯୋଗଦେଇ ଗଙ୍ଗା ପ୍ରସାଦ କହିଛନ୍ତି, ଜିଲାର କୌଣସି ନିଷ୍ପତ୍ତିରେ ଦଳର ନେତୃତ୍ୱ ଏକତରଫା ନିଷ୍ପତ୍ତି ନେଇଥାନ୍ତି। ମାସେ ପୂର୍ବରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ନିର୍ବାଚନ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।

Share