ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଆସନ୍ତା ୨୪ ଘଣ୍ଟା ତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ କହିଛନ୍ତି । ଏବେ ମୁଲାୟମଙ୍କ ପରିବାର ସଦସ୍ୟ ଦିଲ୍ଲୀ ପହଞ୍ଚିବା ଆରମ୍ଭ କରିଛନ୍ତି ।
ରବିବାର ହଠାତ୍ ମୁଲାୟମଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖିଳେଶ ଯାଦବଙ୍କୁ ଫୋନ କରି ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଫୋନ ଯୋଗେ ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ବି ପେଟରେ ଯନ୍ତ୍ରଣା ଯୋଗୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ କଲୋନୋସ୍କୋପି କରାଯାଇ ତାଙ୍କର ଅନ୍ତନଳୀ ସଫା କରାଯିବା ପରେ ସେ ସୁସ୍ଥ ହୋଇଥିଲେ ।