Categories: ଜାତୀୟ

ଲାଲୁଙ୍କୁ ଭେଟିଲେ ମୁଲାୟମ୍‌: ଆରଜେଡି ମୁଖ୍ୟ କହିଲେ, ଦେଶରେ ରହିଛି ସମାଜବାଦର ଆବଶ୍ୟକତା

ନୂଆଦିଲ୍ଲୀ,୨।୮: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାପୂର୍ବରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ଦଳ ମେଣ୍ଟ କରୁଥିବା ବେଳେ ଅନେକ ଦଳରେ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ସୋମବାର ଦିଲ୍ଲୀରେ ସମାଜବାଦୀ ପାର୍ଟି(ଏସ୍‌ପି)ର ବରିଷ୍ଠ ନେତା ମୁଲାୟମ୍‌ ସିଂହ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦୁଇ ବରିଷ୍ଠ ନେତାଙ୍କ ସାକ୍ଷାତକାରର କିଛି ଫଟୋ ଟୁଇଟ କରି ଶେୟାର କରିଛନ୍ତି। ଏଥିରେ ଦୁଇ ନେତା ଚା’ ପିଉଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ସୋମବାର ସଂସଦର ମୌସୁମୀ ଅଧିବେଶନରେ ମୁଲାୟମ ସିଂହ ସାମିଲ ହୋଇଥିଲେ। ଏହାପୂର୍ବରୁ ମୁଲାୟମ୍‌ ଲାଲୁଙ୍କୁ ଭେଟିଥିଲେ। ତେବେ ଏହି ସାକ୍ଷାତକାର ପରେ ଲାଲୁ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶରେ ବରିଷ୍ଠ ସମାଜବାଦୀ ପାର୍ଟିର ସହକର୍ମୀ ମୁଲାୟମ୍‌ ସିଂହଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା। ଏଥିରେ ଲାଲୁ ମୁଲାୟମ୍‌ଙ୍କ କୁଶଳମଙ୍ଗଳ ବିଷୟରେ ପଚାରି ବୁଝିବା ସହ ଚାଷ ଜମି, ନିରକ୍ଷରତା, ଗରିବ ଏବଂ ବେରୋଜଗାର ଉପରେ ଆଲୋଚନା କରିଥିଲେ। ତେବେ ଆଜିକା ଦିନରେ ଦେଶରେ ପୁଞ୍ଜିବାଦ କି ସାମ୍ପ୍ରଦାୟିକତା ନୁହେଁ ବରଂ ଲୋକ ସମାନତା ଏବଂ ସମାଜବାଦର ଆବଶ୍ୟକତା ରହିଛି ବୋଲି ଲାଲୁ କହିଛନ୍ତି। ସୂଚନା ମୁତାବକ ଜାମିନରୁ ବାହାରକୁ ଆସିବା ପରେ ଲାଲୁ ଏବେ ନିଜ ଝିଅ ତଥା ଏମ୍‌ପି ମିସା ଭାରତୀଙ୍କ ବାସଭବନରେ ରହୁଛନ୍ତି। ଏହାପୂର୍ବରୁ କଂଗ୍ରେସ ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ଲାଲୁଙ୍କୁ ଭେଟିଥିଲେ।

Share