Categories: ଜାତୀୟ

ମଲ୍ଟି ଏଜେନ୍ସି ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫ା୧୦: ପାଣ୍ଡୋରା ପେପର୍ସ ଲିକ୍‌ରୁ ଅନେକ ଭାରତୀୟ ଟିକସ ଫାଙ୍କି ବିପୁଳ ସମ୍ପତ୍ତିର ଅଧିକାର ହୋଇଥିବା ଖବର ପ୍ରକାଶ ପାଇବା ପରେ ଏହାର ମଲ୍ଟି ଏଜେନ୍ସି ତଦନ୍ତ କରାଯିବ ବୋଲି କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ନେତୃତ୍ୱରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଆର୍ଥିକ ଗୋଇନ୍ଦା ୟୁନିଟ୍‌ ଦ୍ୱାରା ରିପୋର୍ଟର ଯାଞ୍ଚ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତଦନ୍ତରେ ଦୋଷୀ ସାବ୍ୟସ୍ତହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଦର୍ଶାଯାଇଛି।
ଫାଙ୍କି ବିପୁଳ ସମ୍ପତ୍ତିର ମାଲିକ ହୋଇଥିବା ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁ ରହିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ପକ୍ଷରୁ ବର୍ଷେରୁ ଅଧିକ ସମୟ ଧରି ପାଣ୍ଡୋରା ପେପର୍ସର ୧୧.୯ ନିୟୁତରୁ ଊର୍ଦ୍ଧ୍ୱ ରେକର୍ଡ ସଙ୍କଳନ, ଗବେଷଣା ଓ ବିଶ୍ଳେଷଣ କରିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ତେନ୍ଦୁଲକରଙ୍କ ସମେତ ତାଙ୍କ ସ୍ତ୍ରୀଙ୍କ ନାଁ ମଧ୍ୟ ପାଣ୍ଡୋରା ପେପର୍ସ ଲିଷ୍ଟରେ ରହିଛି। ସେମାନେ ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ରେ ଏକ ଅଫ୍‌ସୋର ସଂସ୍ଥାର ମାଲିକ ଥିଲେ, ଯାହାକୁ ୨୦୧୬ରେ ବନ୍ଦ କରିଦିଆଯାଇଥିଲା। ସେହିପରି ଜଣାଶୁଣା ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ ତାଙ୍କ ଶାଶୁ କ୍ଲାଉଡିଆ ଦତ୍ତଙ୍କ ନଁାରେ ୨୦୦୫ରେ ନ୍ୟୁଜିଲାଣ୍ଡରେ ଏକ ଟ୍ରଷ୍ଟ କରି ଲାଭବାନ ହୋଇଥିଲେ। ଏହି ଟ୍ରଷ୍ଟର ସେ ପ୍ରମୁଖ ଲାଭବାନ ବ୍ୟକ୍ତି ଥିଲେ। ଏହାର ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟ୍‌ ଥିଲା। ୨୦୧୩ରେ ସେହି ମିଡିଆ ଟ୍ରଷ୍ଟ ବନ୍ଦ ହୋଇଯାଇଥିଲା। ସେହିପରି ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ରେ ମଧ୍ୟ ତାଙ୍କର ଏକ ଅଫ୍‌ଶେର କମ୍ପାନୀ ଥିଲା ବୋଲି ପାଣ୍ଡୋରା ପେପର୍ସର ଅନସନ୍ଧାନମୂଳକ ରିପୋର୍ଟରେ ପ୍ରଘଟ ହୋଇଛି।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅନିଲ ଅମ୍ବାନୀ, ବିନୋଦ ଆଦାନି, କିରଣ ମଜୁମଦାର-ଶ, ନିରିଜା ରାଦିଆ, ସତୀଶ ଶର୍ମାଙ୍କ ନାଁ ମଧ୍ୟ ରହିଛି। ବିଲିଓନେୟାର, ବିଶ୍ୱନେତା ଓ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଟିକସ ଫାଙ୍କିବା ଯୋଗୁ ବିଶ୍ୱରେ ପ୍ରତିବର୍ଷ ୪୨୭ ବିଲିୟନ ଡଲାରର କ୍ଷତି ହୋଇଥିବା ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହାର କହିଛନ୍ତି। ଏଥିଯୋଗୁ ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଏହା ଦୁର୍ନୀତି ଓ ଅପରାଧ ବଢ଼ାଇବାରେ ସହାୟକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।

Share