ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବହୁ କୋଟିର ସମ୍ପତ୍ତି

କେନ୍ଦ୍ରାପଡ଼ା,(ଜଗନ୍ନାଥ ଧଳ)/ ଭୁବନେଶ୍ୱର,୧୭ା୮(ସତ୍ୟଜିତ୍‌ ରାଉତ): କେନ୍ଦ୍ରାପଡା ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର ୫ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଯାଞ୍ଚବେଳେ ପ୍ରଦୀପଙ୍କ ଘରୁ ବିପୁଳ ଟଙ୍କା, ସୁନା, ହୀରା ଆଦି ମିଳିଥିବାବେଳେ ୨.୮୬ କୋଟି ଟଙ୍କାର ଜମାରାଶି, ଏକାଧିକ କୋଠା ଓ ପ୍ଲଟ୍‌ ସମେତ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ କଟକ ଜିଲା ନୂଆପଡ଼ାସ୍ଥିତ ପୈତୃକ ଘର, କଲ୍ୟାଣୀନଗରସ୍ଥିତ ଜଣେ ସମ୍ପର୍କୀୟଙ୍କ ଘର ଏବଂ କେନ୍ଦ୍ରାପଡ଼ା ଯୋଗାଣ ଅଧିକାରୀଙ୍କ ଅଫିସସ୍ଥିତ ଚାମ୍ବର ଆଦି ରହିଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ ଭିଜିଲାନ୍ସର ୪ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଡ୍‌ କମାଣ୍ଡାଣ୍ଟ୍‌, ୫ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।
ସୋମବାର ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ଦେଇଥିବା ରିପୋର୍ଟ ଅନୁଯାୟୀ, ପ୍ରଦୀପଙ୍କଠୁ ଠାବ ହୋଇଥିବା ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ଜମାରାଶି ମଧ୍ୟରେ ରହିଛି ପୋଷ୍ଟାଲ ଡିପୋଜିଟ୍‌ ୧ ଲକ୍ଷ ୩୪ ହଜାର ୫୦୫ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୬୯ ଲକ୍ଷ ୯ ହଜାର ୬୯ ଟଙ୍କା ଓ ମ୍ୟୁଚୁଆଲ୍‌ ଫଣ୍ଡରେ ୮୩ ଲକ୍ଷ ଟଙ୍କା। ସେହିପରି ପ୍ରଦୀପଙ୍କ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ୫,୬୦୦ ବର୍ଗଫୁଟରେ ଥିବା ଦୁଇ ମହଲା କୋଠା, କଟକ କଲ୍ୟାଣୀନଗରସ୍ଥିତ ଏକ କୋଠା ଓ ଭୁବନେଶ୍ୱର ଏବଂ କଟକର ମୁଖ୍ୟ ଅଞ୍ଚଳରେ ୨ଟି ପ୍ଲଟ୍‌ ଠାବ ହୋଇଛି। ପ୍ଲଟ୍‌ ଓ କୋଠାର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା, ୪ ସୁନା ବିସ୍କୁଟ୍‌ ଓ ଗୋଟିଏ ହୀରା ନେକଲେସ୍‌ ସମେତ ୮୫୦ ଗ୍ରାମର ସୁନା ଅଳଙ୍କାର ଏବଂ ଗୋଟିଏ କାର୍‌ (ମାରୁତି ସୁଇଫ୍‌ଟ) ଓ ୨ଟି ଦୁଇ ଚକିଆ ଯାନ ମିଳିଛି। ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କୁ ତାଙ୍କ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ଶ୍ରୀନିବାସ ସାହୁ କହିଛନ୍ତି, ଏସିଏସ୍‌ଓ ପ୍ରଦୀପଙ୍କ ବିରୋଧରେ କୌଣସି ଅଭିଯୋଗ ଥିବା ସେ ଜାଣିନାହାନ୍ତି। ପ୍ରତ୍ୟେକ ଦିନ କାର୍ଯ୍ୟାଳୟରେ ଏସିଏସ୍‌ଓ ପ୍ରଦୀପ ପହଞ୍ଚନ୍ତି ବୋଲି ସାହୁ ପ୍ରକାଶ କରିଛନ୍ତି।

Share