Categories: ଖେଳ

କଳିଙ୍ଗରେ ଏକାଧିକ କ୍ରୀଡ଼ାର ସମର କ୍ୟାମ୍ପ

ଭୁବନେଶ୍ୱର, ୨୧।୪(କ୍ରୀଡ଼ା ପ୍ରତିନିଧି): ଏବେ ଚାଲିଛି ସମର କ୍ୟାମ୍ପର ସମୟ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାପାଇଁ ସମର କ୍ୟାମ୍ପ ଆୟୋଜନ କରାଯାଉଛି। ଫଳରେ ଖେଳରେ ରୁଚି ରଖୁଥିବା ପିଲାମାନଙ୍କ ପାଇଁ ଗ୍ରୀଷ୍ମାବକାଶ ସମୟରେ ସେମାନଙ୍କ ପସନ୍ଦର ଗେମ୍‌ ସମ୍ପର୍କରେ ବିସ୍ତୁତ ଜ୍ଞାନ ଆହରଣର ସୁଯୋଗ ସୃଷ୍ଟି କରାଯାଇଛି। ଇତିମଧ୍ୟରେ କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି କ୍ୟାମ୍ପ ଆରମ୍ଭ ହୋଇ ଯାଇଛି। କଳିଙ୍ଗରେ ଏହି କ୍ୟାମ୍ପ ଏପ୍ରିଲ ୩ରୁ ଆରମ୍ଭ ହୋଇଥିଲା ଏବଂ ୨୨ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିର୍ସାମୁଣ୍ଡା ଷ୍ଟାଡିୟମରେ ଏହା ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ ଆୟୋଜନ ହେଉଛି। ଶୁଟିଂ ସମରକ୍ୟାମ୍ପ ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଏଥିରେ ୧୦ ମିଟର ଏୟାର ରାଇଫଲ, ୧୦ ମିଟର ଏୟାର ପିସ୍ତଲ, ଓପନ ସାଇଟ୍‌ ରାଇଫଲ ଆଦିରେ ହାଇପରଫର୍ମାନ୍ସ ଟ୍ରେନିଂ ଦିଆ ଯାଇଥିଲା। ସେହିପରି ସୁଇମିଂ ସମର କ୍ୟାମ୍ପ ମେ ୨ରୁ ୨୬ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୫ରୁ ୧୪ ବର୍ଷ ବର୍ଗର ବାଳିକା ବାଳକ ଭାଗନେବେ। ଖେଳାଳି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଣ୍ଟ୍ରି ଫି’ ୨୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରତି ବ୍ୟାଚ୍‌ରେ ୪୦ ଜଣ ପିଲାଙ୍କୁ ରଖାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ସପ୍ତାହରେ ୬ ସେସନ ଏହିପରି ମୋଟ ୨୦ ସେସନରେ ପିଲାମାନଙ୍କୁ ସନ୍ତରଣ ସମ୍ପର୍କରେ ଜ୍ଞାନ ଦିଆଯିବ।
ଏବେ ମଲ୍ଟି ସ୍ପୋର୍ଟ ସମର କ୍ୟାମ୍ପ ଆୟୋଜନ ହେବାକୁ ଯାଉଛି। ଏଥିରେ ଆଥଲେଟିକ୍ସ, ଭାରୋତ୍ତୋଳନ, ଫୁଟବଲ, ବାସ୍କେଟବଲ, କବାଡି, ଜୁଡୋ, ଜିମ୍ନାଷ୍ଟିକ୍ସ ଓ ଭଲିବଲ ଆଦି ଖେଳର କ୍ୟାମ୍ପ ହେବ। ଜଣେ ଖେଳାଳି କେବଳ ଗୋଟିଏ କ୍ରୀଡ଼ା ପାଇଁ ଉଦ୍ଦିଷ୍ଟ କ୍ୟାମ୍ପରେ ଯୋଗ ଦେଇପାରିବେ। ମେ’ ୧ରୁ ଏହା ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଖେଳାଳି ପଞ୍ଜୀକରଣ ପ୍ରକ୍ରିୟା ଗତ ୧୨ରୁ ଆରମ୍ଭ ହୋଇଯାଇଛି ଏବଂ ଚଳିତମାସ ୨୭ ପର୍ଯ୍ୟନ୍ତ ଚାଲିବ। ସୋମବରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ।

Share