ହାଇକୋର୍ଟରେ ଏକାଧିକ ମାମଲା

କଟକ ଅଫିସ,୧୩।୧୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପରୀକ୍ଷା ଚୟନ ପ୍ରକ୍ରିୟରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଏଏସ୍‌ଓ ଆଶାୟୀ ପ୍ରାୟ ୫ଟି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ଆସନ୍ତା ସୋମବାର ମାମଲାର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ, ଗତ ୭ ତାରିଖରେ ଏଏସ୍‌ଓ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ଏଥିରେ ୧୧୦୪ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଏଏସ୍‌ଓ ଆଶାୟୀମାନେ ଅଭିଯୋଗ କରିଆସୁଛନ୍ତି। ଏପରି କି ସେମାନେ କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଧାରଣା ଦେଇ ନିଜର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ। ପରୀକ୍ଷା ହଲ୍‌ରେ ଖାତା ଖୋଲି ନ ଥିବା ପରୀକ୍ଷାର୍ଥୀ ପାସ୍‌ କରିବା, ପରୀକ୍ଷା ପରେ କଟ୍‌ ଅଫ୍‌ ମାର୍କ ଓ ମାର୍କଶିଟ୍‌ ଆସିବାରେ ବିଳମ୍ବ ହେବାକୁ ନେଇ ସେମାନେ ବିକ୍ଷୋଭ କରିଥିଲେ। ଓପିଏସ୍‌ସି ପକ୍ଷରୁ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅପରପକ୍ଷରେ ଓପିଏସ୍‌ସି ପକ୍ଷରୁ ଏନେଇ ଏକ ସ୍ପଷ୍ଟୀକରଣ ଜରିଆରେ ପରୀକ୍ଷାର୍ଥୀମାନଙ୍କ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଯାଇଥିଲା। ଓପିଏସ୍‌ସିର ନୀତି ଅନୁସାରେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇଛି। ଫଳ ପ୍ରକାଶ ପରେ ହିଁ ସମସ୍ତ ଉତ୍ତର ଖାତା, କଟ୍‌ଅଫ୍‌ ମାର୍କ ଓ ବ୍ୟକ୍ତିଗତ ପ୍ରାର୍ଥୀଙ୍କ ମାର୍କ ଓପିଏସ୍‌ସି ଓ୍ବେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ସେହିପରି ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଓ ପାରଦର୍ଶିତାର ସହ କରାଯାଇଛି ବୋଲି ଓପିଏସ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତେବେ ଓପିଏସ୍‌ସିର ଏଭଳି ସ୍ପଷ୍ଟୀକରଣରେ ଅସନ୍ତୋଷ ପ୍ରକାଶ କରି ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share