ରାଜଭବନ ପରିସରରେ ପଡ଼ିଥିଲା ଏକାଧିକ ଲୁହାଖଣ୍ଡ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ଭୁବନେଶ୍ୱରରେ ଗତ ୭ତାରିଖ ଦିନ ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରାଲ ପମ୍ପରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ, ଏଥିରେ ପେଟ୍ରୋଲ ପମ୍ପ୍‌ ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଥିଲା। ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି। ଏକାଧିକ ଆହତ ହୋଇଥିବାବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଏବେ ବି କଟକ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ଘଟଣାର ୩ଦିନ ପରେ ଆଉ ଏକ ନୂଆ ଖବର ମିଳିଛି। ବିସ୍ଫୋରଣରେ ବଡ଼ ବଡ଼ ଲୁହାଖଣ୍ଡ ରାଜଭବନରେ ଥିବା ହରିଣ ପାର୍କରେ ପଡ଼ିଥିଲା। ଏଥିରେ ଏକ ହରିଣର ମୃତ୍ୟୁ ହୋଇଥିବା ସୂଚନା ମିଳିିଛି। ନନ୍ଦନକାନନ ପକ୍ଷରୁ ଉକ୍ତ ପାର୍କର କ୍ଷୟକ୍ଷତିର ଆକଳନବେଳେ ଏହା ଜଣାପଡିଛି।
ମିଳିଥିବା ସୂଚନାନୁଯାୟୀ, ଏକ ବଡ଼ ଲୁହା ପଡିବାରୁ ଏକ ହରିଣର ଶରୀର ଖଣ୍ଡବିଖଣ୍ଡିତ ହୋଇପଡିଥିଲା। ମୃତ ହରିଣର ତିନୋଟି ଗୋଡ଼ ମିଳିଥିବାବେଳେ ଅନ୍ୟ ଏକ ଗୋଡ଼ ଏପର୍ଯ୍ୟନ୍ତ ମିଳି ନ ଥିଲା। ତେବେ ମୁଣ୍ଡ ବି ଅଲଗା ପଡ଼ିଥିଲା। ଏହି ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞ ଦୁଃଖ ପ୍ରକାଶ କରିବା ସହିତ ଉକ୍ତ ପେଟ୍ରୋଲ ଟାଙ୍କିକୁ ସେଠାରୁ ହଟାଇବା ପାଇଁ ଦାବି କରୁଛନ୍ତି। ସେହି ବିସ୍ଫୋରଣ ଶବ୍ଦରେ ଅନ୍ୟ ହରିଣ ମାନସିକ ଚାପଗ୍ରସ୍ତ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Share