ୟୁନିଟ୍‌-୪ ମାର୍କେଟରୁ ପୁଣି ଏକାଧିକ ପଜିଟିଭ୍‌: ମାଛ ମାର୍କେଟ ପାଇଁ ଗୋଦାମ ବନ୍ଦ, ସମସ୍ୟାରେ ଅନ୍ୟ ବ୍ୟବସାୟୀ

ଭୁବନେଶ୍ୱର, ୨୬।୭(ବ୍ୟୁରୋ):କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଉଛି। ଶନିବାର ୟୁନିଟ୍‌-୪ ମାର୍କେଟରେ ଏହି ଟେଷ୍ଟ କରାଯାଇଥିଲା। ଏଥିରୁ ଏକାଧିକ ପଜିଟିଭ୍‌ ଚିହ୍ନଟ ହୋଇଥିବା ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ମାଛ ଗଦି ମାଲିକ ଏବଂ କର୍ମଚାରୀ ବୋଲି କୁହାଯାଉଛ। ଆଣ୍ଟିଜେନ୍‌ ଟେଷ୍ଟରେ ଶୀଘ୍ର ପଜିଟିଭ୍‌ ଜଣାପଡୁଥିବାବେଳେ ଆକ୍ରାନ୍ତ ସମ୍ପର୍କରେ ତୁରନ୍ତ ସୂଚନା ଦିଆଯାଇ ନ ଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ଲଗାତାର ଦୁଇ ଦିନରେ ମାଛ ମାର୍ଗେଟରୁ ୭ ପଜିଟିଭ୍‌ ଚିହ୍ନଟ ହେବା ପରେ ୟୁନିଟ୍‌ -୪ ବଜାର ସିଲ୍‌ ହୋଇଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟବସାୟୀଙ୍କର ଶନିବାର ଆଣ୍ଟିଜେନ୍‌ ଟେଷ୍ଟରୁ ଆଉ କେତେଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଭୌମନଗର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଜଣାପଡ଼ିଛି। ତେବେ ଏହାର ରିପୋର୍ଟ ରବିବାର ଦିଆଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଭୌମନଗର ହାଟ ସଂଘ ସାଧାରଣ ସମ୍ପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି, ମାଛ ଗଦିରେ ପଜିଟିଭ୍‌ ଚିହ୍ନଟ ପରେ ମାର୍କେଟରେ ଥିବା ପାଖାପାଖି ୭୦୦ ଗୋଦାମ ଏବେ ବନ୍ଦରହିଛି। ବ୍ୟବସାୟୀମାନେ ଏବେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ପ୍ରଥମରୁ ହିଁ କେବଳ ମାଛ ଗଦିରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, କିନ୍ତୁ ବିଏମ୍‌ସି ପକ୍ଷରୁ କାହିଁକି ସାରା ବଜାରକୁ ସିଲ୍‌ କରାଯାଇଛି। ଗୋଟିଏ ପଟେ କରୋନା ଦାଉକୁ ଅନ୍ୟ ପଟେ ଦୋକାନ ବଜାର ବନ୍ଦ ବ୍ୟବସାୟୀଙ୍କ ପେଟ ପୋଡିଦେଉଛି ବୋଲି ସେ କହିଛନ୍ତି। ଟେଷ୍ଟ ସରିଲା ପରେ ଦୋକାନ ବଜାର ଖୋଲା ହେବ କି ନାହିଁ ସେନେଇ ବିଏମ୍‌ସି ଅଧିକାରୀ ରିପୋର୍ଟ ଦେବେ। ତା’ ପରେ ହାଟ ସିଲ୍‌ ହୋଇ ରହିବ କିମ୍ବା ସିଲ୍‌ ଖୋଲିବ ତାହା ଜଣାପଡିବ ବୋଲି ବିଏମ୍‌ସି ଅଧିକାରୀ କହୁଛନ୍ତି। ଯଦି ଶୀଘ୍ର ମାର୍କେଟ ଖୋଲିବା ଓ ବନ୍ଦ ନେଇ ବିଏମ୍‌ସି କିଛି ନିଷ୍ପତ୍ତି ନ ନିଏ, ତେବେ ବାଧ୍ୟତାମୂଳକ ବ୍ୟବସାୟୀମାନେ ଅନ୍ୟପନ୍ଥା ବାଛିବେ ବୋଲି ବଦ୍ରି କହିଛନ୍ତି।

Share