ଏକାଧିକ ଟ୍ରେନ୍‌ ସମ୍ପୂର୍ଣ୍ଣ, ଆଂଶିକ ବାତିଲ

ଭୁବନେଶ୍ୱର,୬।୯ (ବ୍ୟୁରୋ): ପଶ୍ଚିମବଙ୍ଗରେ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ପାଇଁ ପୂର୍ବତଟ ରେଳପଥର ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। କେତେକ ଟ୍ରେନକୁ ବାତିଲ କରାଯାଇଥିବାବେଳେ ଆଉକିଛି ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଉଥିବାରୁ ଟ୍ରେନ ସେବା ବାଧାପ୍ରାପ୍ତ ହେବ। ୧୧ ଓ ୧୨ରେ ହାଓଡ଼ାରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର ଦୁରନ୍ତୋ ସ୍ପେଶାଲ, ୬, ୧୦ ଓ ୧୧ ତାରିଖରେ ଯଶୋବନ୍ତପୁରରୁ ଛାଡୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତୋ ସ୍ପେଶାଲ, ୭ ଓ ୧୧ ତାରିଖରେ ସିଆଲ୍‌ଦାରୁ ଛାଡୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୁରନ୍ତୋ ସ୍ପେଶାଲ ଏବଂ ୮ ଓ ୧୨ ତାରିଖରେ ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ସିଆଲଦା ଦୁରନ୍ତୋ ସ୍ପେଶାଲକୁ ଆଲକୁ ବାତିଲ କରାଯିବ। ସେହିଭଳି ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲକୁ ୭, ୧୧ ଓ ୧୨ ତାରିଖରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆସନ୍ତା ୬, ୧୦ ଓ ୧୧ ତାରିଖରେ ସିକନ୍ଦରାବାଦରୁ ଛାଡୁଥିବା ସିକନ୍ଦରାବାଦ-ହାଓଡ଼ା ଫଲକନୁମା ସ୍ପେଶାଲ ଏକ୍ସପ୍ରେସ ହାଓଡ଼ା ପର୍ଯ୍ୟନ୍ତ ନଯାଇ ଭୁବନେଶ୍ୱରଠାରେ ଯାତ୍ରା ସମାପ୍ତ କରିବ। ହାଓଡ଼ାରୁ ଛାଡୁଥିବା ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ପେଶାଲ ଏକ୍ସପ୍ରେସ୍‌ ୭, ୧୧ ଓ ୧୨ ତାରିଖରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହି ଦିନ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ପୁରୁଷୋତ୍ତମ ଏକ୍ସପ୍ରେସ ୬, ୧୦ ଓ ୧୧ ତାରିଖରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ୭, ୧୧ ଓ ୧୨ ତାରିଖରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀଠାରୁ ୬, ୧୦ ଓ ୧୧ ତାରିଖରେ ଉଭୟ ଦିଗରୁ ହିଜଲୀଠାରେ ରହଣି କରିବ ନାହିଁ।

Share