Categories: ଜାତୀୟ

୧୨ ବର୍ଷରେ ମୁମ୍ବାଇ ୨୬/୧୧ ଆକ୍ରମଣ: ମାଷ୍ଟରମାଇଣ୍ଡ୍‌ ହାଫିଜ୍‌-ରାଣା ଏବେ ବି ଅପହଞ୍ଚ

ମୁମ୍ବାଇ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ୨୬/୧୧ ଆକ୍ରମଣକୁ ଇତିମଧ୍ୟରେ ୧୨ ବର୍ଷ ପୂରିଛି । ଏଠାରେ ନଭେମ୍ବର ୨୯ ପର୍ଯ୍ୟନ୍ତ ଦୀର୍ଘ ୬୦ ଘଣ୍ଟା ଧରି ମିଳିତ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା। ଏହି ସିରିଜ୍‌ ଆକ୍ରମଣରେ ୧୬୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨୮ ଜଣ ବିଦେଶୀ ନାଗରିକ ଥିଲେ। ତାଜ୍‌ ହୋଟେଲ୍‌ ମଧ୍ୟରେ ଆତଙ୍କ ଚଳାଇଥିବା ଅଜମଲ ଆମିର୍‌ କସାବଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ସମୟରେ ଫାଶୀ ଦଣ୍ଡାଦେଶ ହୋଇଥିଲା। ତେବେ ଏବେ ମଧ୍ୟ ଏହି ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ଏବଂ ପାକିସ୍ତାନୀ-କାନାଡ଼ା ଡାକ୍ତର ତହବୁର ହୁସେନ ରାଣା ନିର୍ଭୟରେ ବୁଲୁଛନ୍ତି। ହାଫିଜ୍‌ ସଇଦଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି । ଏହାକୁ ନେଇ ଆମେରିକା ପକ୍ଷରୁ ବାରମ୍ବାର ଉଦ୍‌ବେଗ ପ୍ରକାଶ କରାଯାଉଛି। ଅପରପକ୍ଷରେ ଆମେରିକାର ଲସ୍‌ ଏଞ୍ଜେଲସ୍‌ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ରାଣାଙ୍କର ଜେଲ୍‌ ଦଣ୍ଡ ଶେଷ ହେବାକୁ ଯାଉଛି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଦାବି ହେଉଛି। ଏନ୍‌ଆଇଏ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଣାଙ୍କ ପ୍ରତ୍ୟର୍ପଣ ଲାଗି ଉଦ୍ୟମ କରାଯାଉଛି।

Share