Categories: ଜାତୀୟ

ଧରାପଡିଲେ ୨୬/୧୧ ଭଳି ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତି , ପାକିସ୍ତାନର ଥିଲା ନମ୍ବର କୋଡ!

ମୁମ୍ବାଇ,୨୧ ।୮: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଧରିବାରେ ସଫଳ ହୋଇଛି । ମୁମ୍ବାଇ ପୋଲିସର ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି । ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ଏହି ବ୍ୟକ୍ତିଙ୍କ ନମ୍ବରରୁ ସେମାନଙ୍କ ହେଲପ ଲାଇନ ନମ୍ବରରେ କିଛି ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା । ସେଥିରେ କୁହାଯାଇଥିଲା କି, ମୁମ୍ବାଇରେ ୬ଜଣ ଲୋକ ୨୬/୧୧ ପରି ଆକ୍ରମଣ କରିବେ ଓ ସହରକୁ ଉଡାଇ ଦେବାକୁ ପ୍ରସ୍ତୁତି ଚାଲିଛି ।
ଏହି ମାମଲାରେ ମୁମ୍ବାଇ ନିକଟ ବିରାରରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଅପରାଧ ଶାଖାର ଏକ ଟିମ ତାଙ୍କୁ ପଚରାଉଚରା କରୁଛନ୍ତି । ପୋଲିସ କମିଶନର ବିଜୟ ଫନସାଲକର ଶନିବାର ଖବରଦାତା ସମ୍ମିଳନୀରେ କହିଛନ୍ତି, ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ରାଜ୍ୟର ଆତଙ୍କବାଦ ନିରୋଧକ ଦଳ(ଏଟିଏସ) ଓ ସହରର ପୋଲିସଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହାସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯିବ ସହ ଉପକୂଳରେ ବି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ପୋଲିସ କମିଶନର ବିବେକ ଫନସାଲକର କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତିରେ ଫୋନ ଯୋଗେ ଧମକ ଦିଆଯାଇଥିଲା କି ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ କରାଯିବ ଓ ସହରକୁ ଉଡାଇ ଦିଆଯିବ । ଏହି ବାର୍ତ୍ତାରେ ୨୬/୧୧ ଆକ୍ରମଣରେ ସାମିଲ ଅଜମଲ କସାବ ଓ ଅଲକାଏଦା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମୃତ ଅଲ ଜବାହିରିଙ୍କ ନାମ ନିଆଯାଇଥିଲା । ଏହାବି କୁହାଯାଇଥିଲା କି ଏମାନଙ୍କର କେତେଜଣ ସହଯୋଗୀ ଭାରତରେ କାମ କରୁଛନ୍ତି । ଅନୁମାନ କରାଯାଉଛି କି ଧମକ ଦେଉଥିବା ବ୍ୟକ୍ତି ଯେଉଁ ନମ୍ବରରୁ ଫୋନ କରୁଛନ୍ତି ତା’ର କୋଡ ପାକିସ୍ତାନର ରହିଛି ।

Share