ପୁଣି ଖୋଲିପାରେ ମଲ୍‌: ଗାଇଡ୍‌ଲାଇନ୍‌କୁ ଅପେକ୍ଷା

ମୁମ୍ବାଇ,୧୧।୮: କରୋନା ଦୈନିକ ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ମଲ୍‌ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିପାରେ। ବର୍ତ୍ତମାନ ଧାର୍ମିକସ୍ଥଳକୁ ଖୋଲାଯିବ ନାହିଁ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଥିବା ବେଳେ ବୁଧବାର ସନ୍ଧ୍ୟାରେ ଏନେଇ ନୂଆ ଗାଇଡ୍‌ଲାଇନ୍‌ ଆସିପାରେ। ଏଥିରେ ମୁମ୍ବାଇରେ ରାତି ୮ଟା କିମ୍ବା ୧୦ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇପାରେ। ସେହପରି ଶପିଂ ମଲ୍‌ ମଧ୍ୟ ଖୋଲିବାକୁ ଅନୁମତି ମିଳିପାରେ କିନ୍ତୁ କିଛି ସମୟ ପାଇଁ ଫୁଡ୍‌ କୋର୍ଟ ବନ୍ଦ ରହିବ। ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ରାଜ୍ୟ କୋଭିଡ ଟାସ୍କ ଫୋର୍ସ, ଶିଶୁ ଟାସ୍କଫୋର୍ସ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା। ଏହି ବୈଠକରେ ରାଜ୍ୟରେ ଅଧିକରୁ ଅଧିକ ବିଭାଗ ଖୋଲିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ମଲ୍‌ରେ ସମସ୍ତ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ଏବଂ ଏଠାକୁ ଆସୁଥିବା ଲୋକମାନଙ୍କର ଟିକାକରଣ ହୋଇଥିବା ସୁନିଶ୍ଚିତ ପରେ ମଲ୍‌ ଖୋଲିବାକୁ ଅନୁମତି ଦିଆଯିବ। ଏନେଇ ବିଚାର କରାଯାଉଥିବା ବେଳେ ବୁଧବାର ସନ୍ଧ୍ୟାସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Share