Advertisement

ଅଟୋ ଡ୍ରାଇଭରଙ୍କ ପାଇଁ ଘରକୁ ଫେରିଲେ ନାବାଳିକା

ପାଲଘର,୩୦।୧: ପାଠ ପଢ଼ିବା ପାଇଁ ବାପା ମା’ ଚାପ ପକାଇବାରୁ ନୂଆଦିଲ୍ଲୀରୁ ଘର ଛାଡ଼ି ପଳାଇ ଆସିଥିଲେ ଜଣେ ୧୪ ବର୍ଷୀୟା ନାବାଳିକା। ମାତ୍ର ଜଣେ ଅଟୋ ଡ୍ରାଇଭରଙ୍କ କାରଣରୁ ନାବାଳିକା ଝିଅ ତାଙ୍କ ବାପା ମା’ଙ୍କ ପାଖକୁ ଫେରି ପାରିଥିବା ମହାରାଷ୍ଟ୍ର ପୋଲିସ ଅଧିକାରୀ ରବିବାର କହିଛନ୍ତି।

ଶନିବାର ସକାଳେ ପାଲଘରସ୍ଥିତ ଭସାଇ ଷ୍ଟେଶନ ବାହାରେ ଯାତ୍ରୀଙ୍କ ପାଇଁ ଅପେକ୍ଷା କରିଥିଲେ ଅଟୋ ଡ୍ରାଇଭର ରାଜୁ କରଓ୍ବାଡେ (୩୫)। ଜଣେ ଝିଅ ତାଙ୍କ ପାଖକୁ ଆସି ସେହି ଅଞ୍ଚଳରେ ରହିବା ପାଇଁ ଏକ ରୁମ ଖୋଜିବାକୁ କହିଥିଲେ। ଡ୍ରାଇଭରଙ୍କ ସନ୍ଦେହ ହେବାରୁ ନାବାଳିକାଙ୍କ ଆଇଡେଣ୍ଟି କାର୍ଡ ଚେକ କରିବା ସହ ପଚରାଉଚରା କରିଥିଲେ। ନାବାଳିକାଙ୍କ ଘର ନୂଆଦିଲ୍ଲୀ ଏବଂ ଘରୁ ରାଗି ଚାଲି ଆସିଥିବା ଜଣା ପଡ଼ିଥିଲା। ଏ ସମ୍ପର୍କରେ ରାଜୁ ତୁରନ୍ତ ଜଣାଇଥିଲେ ମାନିକ୍‌ପୁର ଥାନାକୁ।

ନାବାଳିକା ପୋଲିସକୁ କହିଥିଲେ, ତାଙ୍କ ଘର ଦିଲ୍ଲୀର ପୁଷ୍ପ ବିହାରରେ। ଗତ ଶୁକ୍ରବାର ତାଙ୍କ ବାପା ମା’ ପାଠପଢ଼ା ଉପରେ ଧ୍ୟାନ ଦେବାକୁ ଚାପ ପକାଇବାରୁ ସେ ଘରୁ ପଳାଇ ଆସିଥିଲେ। ତା’ ପରେ ପୋଲିସ ଏ ସମ୍ପର୍କରେ ଦିଲ୍ଲୀର ସାକେତ ଥାନାକୁ ଜଣାଇଥିଲା। ସେଠାରେ ନାବାଳିକାଙ୍କ ବାପା ମା’ ଅପହରଣ ଅଭିଯୋଗ କରିଥିଲେ। ପୋଲିସଠାରୁ ଖବର ପାଇବା ପରେ ନାବାଳିକାଙ୍କ ବାପା ମା’ ପହଞ୍ଚିଥିଲେ ଭସାଇ ଥାନାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share