Categories: ଜାତୀୟ

ନବନୀତ ରାଣାଙ୍କ ଏମ୍‌ଆର୍‌ଆଇ ଫଟୋ ଭାଇରାଲ ହେବା ପରେ ଲୀଳାବତୀ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

ମୁମ୍ବାଇ,୧୦।୫: ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏମ୍‌ଆରଆଇ ପ୍ରକ୍ରିୟା ସମୟରେ ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ବିଏମ୍‌ସିର ଏଚ୍‌ ଓ୍ବେଷ୍ଟ ଓ୍ବାର୍ଡ ଲୀଲାବତୀ ହସ୍ପିଟାଲକୁ ନୋଟିସ୍‌ ଜାରି କରିଛି। ସୂଚନାଯୋଗ୍ୟ, ଏମ୍‌ଆର୍‌ଆଇ ସମୟରେ ଫଟୋ ଉଠାଇଥିବା ଏବଂ ନିୟମ ଉଲ୍ଲଂଘନ ପାଇଁ ଏକ ନୋଟିସ୍‌ ଜାରି କରାଯାଇଛି। ଏଥିସହ ଲୀଳାବତୀ ହସ୍ପିଟାଲକୁ ସିସିଟିଭି ଫୁଟେଜ ଏବଂ ଡାକ୍ତରଖାନାର କର୍ମଚାରୀଙ୍କ ଅବହେଳା ଉପରେ ଉତ୍ତର ଦେବାକୁ ପଡିବ ବୋଲି ଉକ୍ତ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ମୁମ୍ବାଇର ପୂର୍ବତନ ମେୟର କିଶୋରୀ ପେଡନେକର ଏବଂ ଶିବସେନା ଏମ୍‌ଏଲ୍‌ସି ମନୀଷା କୟାଣ୍ଡେ ହସ୍ପିଟାଲକୁ ଏମ୍‌ଆର୍‌ଆଇ ପ୍ରକ୍ରିୟା ଚାଲିଥିବା ବେଳେ ଏମ୍‌ପି ନବନୀତ ରାଣାଙ୍କ ଫଟୋ ଏବଂ ଭିଡିଓ କିପରି ସୋସିଆଲ ମିଡିଆରେ ଭାଇରାଲ ହେଲା ବୋଲି ମ୍ୟାନେଜମେଣ୍ଟକୁ ପ୍ରଶ୍ନ କରିଥିଲେ। ଅନ୍ୟପଟେ ରବିବାର ବିଏମସି ପକ୍ଷରୁ ନୋଟିସ ମିଳିଛି ଏବଂ ଏହାର ଜବାବ ଦେବାକୁ ୩ଦିନ ସମୟ ଦିଆଯାଇଛି ବୋଲି ହସ୍ପିଟାଲର ମୁଖ୍ୟ କାର୍ଯ୍ୟକାରୀ ଲେଫ୍ଟନାଣ୍ଟ ଜେନେରାଲ ଡ. ରବି ଶଙ୍କର କହିଛନ୍ତି। ବୟାନ ରେକର୍ଡ କରାଯିବା ସହ ଏକ କମିଟି ଗଠନ କରାଯାଇଛି। ନିର୍ଦ୍ଧିଷ୍ଟ ସମୟ ସୀମା ପୂର୍ବରୁ ଉତ୍ତର ଦେବୁ ବୋଲି ରବି ଶଙ୍କର କହିଛନ୍ତି।

Share