ମୁମ୍ବାଇ,୨୮।୭: ବଲିଉଡ୍ ଅଭିନେତ୍ରୀ ଶିଳ୍ବା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବୁଧବାର ମୁମ୍ବାଇ ଏସ୍ପ୍ଲାନେଡ କୋର୍ଟର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସୁଧୀର ଭାଜିପାଲ ରାଜଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ରାଜଙ୍କ ଆଇଟି ମୁଖ୍ୟ ରାୟନ ଥୋରପେଙ୍କ ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି। ଏହାପୂର୍ବରୁ ଅର୍ଥାତ୍ ମଙ୍ଗଳବାର କୋର୍ଟ ରାଜଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ତୃତୀୟ ଥର ରିମାଣ୍ଡରେ ନେବାକୁ କୋର୍ଟ ମନାକରିଦେଇଥିଲେ। ସୂଚନାମୁତାବକ ରାଜଙ୍କ ପାଖରେ ବ୍ରିଟିଶ ନାଗରିକତା ରହିଛି। କାଳେ ସେ ବିଦେଶକୁ ଫେରାର ହୋଇଯିବେ ସେହି ଆଶଙ୍କାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା କୁହାଯାଉଛି। ଅନ୍ୟପଟେ ଏପ୍ରିଲରୁ ହିଁ ରାଜଙ୍କ ପାସପୋର୍ଟକୁ କ୍ରାଇମ୍ ବ୍ରାଞ୍ଚ ଜବତ କରିଥିବା ସୂଚନା ରହିଛି।